ଆଜିଠୁ କର୍ଣ୍ଣାଟକରେ ବୋମାଇ ରାଜ । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବସବରାଜ ବୋମାଇ ।

99

କନକ ବ୍ୟୁରୋ: କର୍ଣ୍ଣାଟକରେ ଆରମ୍ଭ ହେଲା ବାସବରାଜ ବୋମାଇଙ୍କ ସରକାର । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବାସବରାଜ । ରାଜ୍ୟପାଳ ଥାବର ଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଆଉ ଏହାପରେ ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂମ୍ପ୍ରସାରଣ କରାଯିବ ବୋଲି କୁହାଯାଉଛି ।

ମଙ୍ଗଳବାର ଘୋଷଣା ହେବା ପରେ ବୁଧବାର କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବସବରାଜ ବୋମାଇ । ଶପଥ ନେବା ପୂର୍ବରୁ ପ୍ରଥମେ ଅଞ୍ଜନେୟ ମନ୍ଦିର ଯାଇ ଭଗବାନଙ୍କ ଆର୍ଶିବାଦ ନେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । କେବଳ ସେତିକି ନୁହେଁ ଶପଥ ନେବାକୁ ମଞ୍ଚକୁ ଯିବା ପୂର୍ବରୁ ବିଏସ ୟେଦୟୁରପ୍ପାଙ୍କ ଆଶିର୍ବାଦ ନେଇଛନ୍ତି ବାସବରାଜ ବୋମାଇ । ରାଜ୍ୟପାଳ ଥାବର ଚାନ୍ଦ ଗେହଲଟଙ୍କ ଠାରୁ ପଦ ଓ ଗୋପନୀୟତାର ଶପଥ ନେଇ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବାସବରାଜ ବୋମାଇ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସାମ୍ବାଦିକ ସମ୍ମିଳନୀ କରି ୟେଦୁରପ୍ପାଙ୍କ କାର୍ଯ୍ୟଶୈଳୀ ଅନୁସରଣ କରିବେ ବୋଲି କହଛନ୍ତି ।

ବାସବରାଜ ବୋମାଇ ୟେଦୟୁରପ୍ପା ମନ୍ତ୍ରୀମଣ୍ଡଳରେ ଗୃହମନ୍ତ୍ରୀ ଥିଲେ । ବାସବରାଜ ବୋମାଇ ଜନତାଦଳରୁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ।

– ୧୯୬୦ ଜାନୁଆରୀ ୨୮ରେ ବସବରାଜଙ୍କ ଜନ୍ମ
– ଲିଙ୍ଗାୟତ ସଂପ୍ରଦାୟର ଟାଣୁଆ ନେତା
– ୟେଦୟୁରପ୍ପା ସରକାରରେ ଗୃହମନ୍ତ୍ରୀ ଥିଲେ
– କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍. ଆର ବୋମାଇଙ୍କ ପୁଅ
– ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ
– ଜଣେ ଯନ୍ତ୍ରୀ, କୃଷିବିତ୍ ଏବଂ ଶିଳ୍ପପତି ଭାବେ ଜଣାଶୁଣା
– ରାଜ୍ୟରେ ଜଳସେଚନର ବିକାଶ ପାଇଁ ଉଲ୍ଲେଖନୀୟ କାମ କରିଛନ୍ତି

ମଙ୍ଗଳବାର ବେଙ୍ଗାଲୁରୁରେ ବିଜେପି ବିଧାୟକ ଦଳ ବୈଠକରେ ତାଙ୍କୁ ନେତା ଚୟନ କରାଯାଇଥିଲା । ବୈଠକ ପରେ ବିଧାୟକ ଦଳର ନିଷ୍ପତ୍ତିକୁ ଘୋଷଣା କରିଥିଲେ ଦିଲ୍ଲୀରୁ ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଧାୟକଦଳ ବୈଠକରେ ବାସବରାଜ ବୋମାଇଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ ୟେଦୟୁରପ୍ପା ।