କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ । ରାଜ୍ୟପାଳ କରାଇଲେ ଶପଥ ପାଠ

128

କନକ ବ୍ୟୁରୋ : କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ବାସବରାଜ ବୋମାଇ । ଆଜି ଦିନ ୧୧ ଟା ବେଳେ ତାଙ୍କୁ ଶପଥ ପାଠ କରାଇଛନ୍ତି । ଆଜି କେବଳ ମୁଖ୍ୟମନ୍ତ୍ରୀ ଶପଥ ନେଇଥିବା ବେଳେ ମନ୍ତ୍ରୀମଣ୍ଡଳର ବିସ୍ତାର ପରେ କରାଯିବ ବୋଲି କୁହାଯାଇଛି ।

ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇ ଶପଥ ନେବା ପୂର୍ବରୁ ଦଳର କିଛି ବରିଷ୍ଠ ନେତାମାନଙ୍କ ସହ ବାଲାବୁୟୀ ଗେଷ୍ଟ ହାଉସ ନିକଟରେ ଥିବା ଅଞ୍ଜନେୟ ମନ୍ଦିର ଯାଇ ଭଗବାନଙ୍କ ଆର୍ଶିବାଦ ନେଇଥିଲେ ।

କର୍ଣ୍ଣାଟକରେ ବିଏ ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକରେ ବାସବରାଜ ବୋମାଇଙ୍କୁ ମୂୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ମଙ୍ଗଳବାର ଦିନ ବେଙ୍ଗାଲୋର ଠାରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଯେଉଁଥିରେ ବିଧାୟକ ଦଳ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ବାସବରାଜ ବୋମାଇଙ୍କ ନାମରେ ମୋହର ମାରିଥିଲେ ।

କହିରଖୁ କି ବାସବରାଜ ବୋମାଇ ତାଙ୍କ ରାଜନୈତିକ ଜୀବନ ଜନତା ଦଳରୁ ଆରମ୍ଭ କରିଥିଲେ । ଏହାପରେ ସେ ବିଜେପିରେ ଯୋଗ ଦେଇଥିଲେ । ତାଙ୍କୁ ବି.ଏସ ୟେଦ୍ୟୁରପ୍ପାଙ୍କ ନିକଟତର ବୋଲି କୁହାଯାଉଛି । ଏହି କାରଣରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବା କୁହାଯାଉଛି ।
ବି.ଏସ୍ ୟେଦ୍ୟୁରପ୍ପାଙ୍କ ଭଳି ବାସବରାଜ ବୋମାଇ ବି ଲିଙ୍ଗାୟତ ସମୁଦାୟରୁ ଆସିଛନ୍ତି । ତାଙ୍କ ପିତା ଏସ.ଆର ବୋମାଇବି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ଏବେ କର୍ଣ୍ଣାଟକର ୨୩ ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେଇଛନ୍ତି ।