କନକ ବ୍ୟୁରୋ: ଶଙ୍ଖ ବାଜୁଛି, ହୁଳହୁଳି ପଡୁଛି । ପାଖରେ ଥୁଆହୋଇଛି ନାଲି ଶଙ୍ଖା, ସିନ୍ଦୁର ଆଉ ବରଣମାଳା । ଆପଣ ଭାବୁଥିବେ କାହାର ଗୋଟେ ବାହାଘର ହେଉଥିବ । ଆଜ୍ଞା ହଁ ଆଜି ବାହାଘର ହେଉଛି । ମାଉସୀଙ୍କୁ ମଉସା ଜଣଙ୍କ ବାହା ହେଉଛନ୍ତି । ମାଉସୀଙ୍କ ହାତରେ ମଉସା ନାଲି ଚୁଡି ପିନ୍ଧାଇ ଦେଇଛନ୍ତି । ତାପରେ ବରଣମାଳା ଅଦଳ ବଦଳ ଆଉ ଶେଷରେ ତାଙ୍କ ସିନ୍ଥିରେ ନାଇଦେଉଛନ୍ତି ସିନ୍ଦୁର । ଆପଣ ଭାବଥିବେ ଏ ବୟସରେ ଏମାନେ କାହିଁକି ବାହାହେଉଛନ୍ତି । ଆପଣଙ୍କ ଭାବନା ବି ଠିକ୍ । କିନ୍ତୁ ଏମାନଙ୍କ ବାହାଘର ଅନ୍ୟଠାରୁ ଟିକେ ନିଆରା । କାହିଁକି ନା ୨୦ ବର୍ଷ ପରେ ନିଜର ପ୍ରିୟତମା ସ୍ତ୍ରୀଙ୍କୁ ଖୋଜିପାଇବା ପରେ ବସନ୍ତ ସ୍ତ୍ରୀଙ୍କୁ ଆଉଥରେ ବାହା ହେଉଛନ୍ତି ।
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସାଆନ୍ତରାପୁର ଅଞ୍ଚଳର ଉର୍ମିଳ ପରିଡା । ଗଲା ୨୦ ବର୍ଷ ତଳେ ବାପଘରକୁ ଯାଇ ଘରକୁ ଫେରିବା ବେଳେ ବାଟଭୁଲି କେଉଁଆଡେ ଚାଲିଯାଇଥିଲେ । ପରିବାର ଲୋକ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ ବି ତାଙ୍କର କିଛି ଖୋଜଖବର ପାଇନଥିଲେ । ତେବେ ହଠାତ କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ତାଙ୍କ ଖବର ପାଇଁ ପରିବାର ସଦସ୍ୟ ତାଙ୍କ ପାଖରେ ପହଞ୍ଚି ତାଙ୍କୁ ଘରକୁ ନେଇଛନ୍ତି । ସ୍ୱାମୀ ବସନ୍ତ ପରିଡା ସ୍ତ୍ରୀଙ୍କୁ ୨୦ ବର୍ଷ ପରେ ପାଇ ବେସ ଖୁସି ଅନୁଭବ କରୁଛନ୍ତି ।
କିଛି ଦିନ ତଳେ ତିଗିରିଆ ବଜାରରେ ଥିବା ଏଟିଏମ ପାଖରୁ ଉର୍ମିଳାଙ୍କୁ ଉଦ୍ଧାର କରିଥିଲା ଜଗନ୍ନାଥ ଓଡିଶା ଗ୍ରୁପ୍ ଏବଂ ଶ୍ରୀ ମନ୍ଦିର ସେବା ପ୍ରତିଷ୍ଠାନ । ଉଦ୍ଧାର ପରେ ତାଙ୍କୁ ନିଜ ଆଶ୍ରମରେ ରଖିଥିଲେ ଗ୍ରୁପର ସଦସ୍ୟ । ଏହା ପରେ ମହିଳାଙ୍କ ଫଟୋକୁ ସେମାନେ ସାମାଜିକ ଗଣମାଧ୍ୟମରେ ସେୟାର କରିବା ପରେ ତାଙ୍କ ପରିବାର ସଦସ୍ୟ ମହିଳାଙ୍କ ପାଖରେ ପହଞ୍ଚିଛନ୍ତି । ଆଶ୍ରମ ମୁଖ୍ୟଙ୍କ ସହ ଆଲୋଚନା ପରେ ସେମାନେ ତାଙ୍କୁ ଘରକୁ ନେଇଛନ୍ତି । ତେବେ ଏହା ପୂର୍ବରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସେମାନଙ୍କ ବାହାଘର ଅନୁଷ୍ଠିତ ହୋଇଥିଲା ।
ତେବେ ଉର୍ମିଳାଙ୍କୁ ବିଦାୟ ଦେବା ବେଳେ ଭାବବିହ୍ୱଳ ହୋଇପଡିଥିଲେ ଆଶ୍ରମର ସଦସ୍ୟ ତଥା ସ୍ୱେଚ୍ଛାସେବୀ । ଦୀର୍ଘ ବର୍ଷ ପରେ ଉର୍ମିଳା ନିଜ ପରିବାରକୁ ଫେରିପାଇଥିବା ବେଳେ ଆଉଥରେ ନିଜର ସୁଖର ସଂସାରକୁ ଆଗେଇ ନେବେ । ସେପଟେ ମହିଳାଙ୍କୁ ତାଙ୍କ ପରିବାର ପାଖରେ ପହଞ୍ଚାଇଥିବାରୁ ଅନୁଷ୍ଠାନକୁ ମଧ୍ୟ ଚାରିଆଡୁ ଶୁଭେଚ୍ଛା ମିଳୁଛି ।