କନକ ବ୍ୟୁରୋ : ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବର୍ଷା ସିଂ ବରିହାଙ୍କୁ ଦଳ ପ୍ରାର୍ଥୀ କରିଛି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ହେଉଛନ୍ତି ବର୍ଷା । ଇତିହାସରେ ସ୍ନାତକୋତ୍ତର କରିଛନ୍ତି ବର୍ଷା । ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି ବର୍ଷା ବରିହା । ପଦ୍ମପୁର ଉପ-ନିର୍ବାଚନ ପାଇଁ ଟିକେଟ ମିଳିବା ପରେ ବର୍ଷା କହିଛନ୍ତି, ବିଶ୍ୱାସ ଓ ଭରସା ରଖି ମୋତେ ବାଛିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଯେହେତୁ ବାପା ଭଲ କାମ କରିଥିଲେ ତେଣୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି ବୋଲି କହିଛନ୍ତି ବର୍ଷା ।

Advertisment

ବର୍ଷାଙ୍କୁ ଟିକେଟ ଦେଇ ବିଜେଡି ଅନୁକମ୍ପା ଭୋଟ ହାତେଇବାକୁ ନଜର ରଖିଛି । ଯେହେତୁ ମାତ୍ର ଦିନ କେଇଟା ପୂର୍ବରୁ ବିଜୟ ରଞ୍ଜନ ସିଂ ବରିହାଙ୍କର ଦେହାନ୍ତ ହୋଇଛି ତେଣୁ ବିଜେଡି ସପକ୍ଷରେ ଅନୁକମ୍ପା ଭୋଟ ଆସିବ ବୋଲି ଆକଳନ କରାଯାଉଛି । ଏହାବାଦ୍ ବର୍ଷାରାଣୀଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି ବିଜେଡି । ରାଜନୀତିରେ ମହିଳା ମାନେ ଆଗକୁ ଆସିବା ସହ ନେତୃତ୍ୱ ନିଅନ୍ତୁ ବିଜେଡି ସୁପ୍ରିମୋ ଆହ୍ୱାନ ଦେଉଥିବା ବେଳେ ବର୍ଷାଙ୍କୁ ପ୍ରାର୍ଥୀ କରି ଏ ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢିଛି ବିଜେଡି ।

ଏହାପୂର୍ବରୁ ବିଜେପି ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସତ୍ୟଭୂଷଣ ସାହୁଙ୍କୁ ମୈଦାନକୁ ଓହ୍ଲାଇଛି । ବର୍ଷା ଆସନ୍ତା ୧୬ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଗକୁ ଲଢେଇ ରୋଚକ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।