ବୋହୂର ବିଜୟରେ ଭାବବିହ୍ୱଳ ହେଲେ ଶ୍ୱଶୁର । ବର୍ଷାଙ୍କ ଶାଶୂଘରେ ଗାଁରେ ଉତ୍ସବର ମାହୋଲ ।

673

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ବିଜୟୀ ହୋଇଥିବା ବର୍ଷା ସିଂ ବରିହା ପଦ୍ମପୁରର ଝିଅ ହୋଇଥିବାବେଳେ, କଣାସର ବୋହୂ । ତେଣୁ ତାଙ୍କ ଶାଶୁଘର କଣାସରେ ବି ଆଜି ଦେଖିବାକୁ ମିଳିଥିଲା ଉତ୍ସବ । ବର୍ଷାଙ୍କ ଶାଶୁଘର ଗାଁର ଲୋକମାନେ ଗାଁ ବୋହୂ ବିଧାୟିକା ହେବାକୁ ନେଇ ଖୁସି ମନାଇଛନ୍ତି । ଏଥିସହ ନିର୍ବାଚନ ପ୍ରଚାର ବେଳେ ଯେଉଁମାନେ ବର୍ଷାଙ୍କୁ ଆକ୍ଷେପ କରି କହୁଥିଲେ ସେମାନଙ୍କୁ ନିନ୍ଦା କରିଛନ୍ତି ତାଙ୍କ ଶାଶୁ ଓ ଶ୍ୱଶୁର ।

  • ବର୍ଷାଙ୍କ ଶାଶୂଘର ଗାଁରେ ଉତ୍ସବର ମାହୋଲ
  • ମନ୍ଦିରରେ ପୂଜାର୍ଚ୍ଚନା, ଜମିଲା ପାଇକ ଆଖାଡା

ଗାଁର ବୋହୂ ପଦ୍ମପୁର ଉପ ନିର୍ବାଚନରେ ବିଜୟୀ ହୋଇଛି । ଏହି ଖବର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ଶ୍ୱଶୂର ଘର ପୁରୀ ଜିଲ୍ଲା କଣାସ ନିକଟ ଦୋକନ୍ଦା ଗାଁରେ ଖୁସି ଆଣିଦେଇଛି । ଗାଁର ମହିଳାମାନେ ମନ୍ଦିରରେ ଦୀପଦାନ କରି ପୂଜାର୍ଚ୍ଚନା କରିଛନ୍ତି । ଆଉ ପୁରୁଷମାନେ ପାଇକ ଆଖଡା ପ୍ରଦର୍ଶନ କରି ଖୁସି ମନେଇଛନ୍ତି । ବଡ କଥା ହେଉଛି ଏଥିରେ ସବୁ ଦଳର ଲୋକେ ସାମିଲ ହୋଇଛନ୍ତି । ଗାଁର ବୋହୂ ବିଧାୟକ ହେବ ଏହି ଖବର ଆଗରେ ଦଳୀୟ ଜୟ ପରାଜୟ କଥା ଫିକା ପଡିଛି ।

  • ଶ୍ୱଶୂରଙ୍କ ଆଖିରୁ ଝରିିଲା ଆନନ୍ଦାଶ୍ରୁ
  • ଖବର ଶୁଣି ଖୁସିହେଲେ ବର୍ଷାଙ୍କ ଶାଶୂ

ପଦ୍ମପୁର ଉପ ନିର୍ବାଚନରେ ବର୍ଷା ସିଂ ବରିହାଙ୍କ ବାଜିମାତ ଖବର ଶୁଣିବା ପରେ ବିଜେପି ନେତା ରମାରଞ୍ଜନ ବଳିୟାର ସିଂଙ୍କ ଆଖିରୁ ଲୁହ ଝରି ଯାଇଛି । ପ୍ରଚାର ବେଳେ ବର୍ଷାଙ୍କୁ ବିଦେଶିନୀ ଓ ବିବାହକୁ ନେଇ ବିଜେପି ଉଠାଇଥିବା ପ୍ରଶ୍ନର ମଧ୍ୟ ଉତ୍ତର ଦେଇଛନ୍ତି ରମାରଞ୍ଜନ । କହିଛନ୍ତି ପୁଅକୁ ବିବାହ କରି ବୋହୂ ଆଣିଛନ୍ତି । ରାଜନୀତିରେ ବ୍ୟକ୍ତିଗତ ଆକ୍ଷେପ ଗ୍ରହଣୀୟ ନୁହେଁ । ସେପଟେ ବର୍ଷାଙ୍କ ଶାଶୂ କହିଛନ୍ତି, ବର୍ଷାଙ୍କୁ ବିଦେଶିନୀ କହିବା ବିଜେପି ପାଇଁ ବୁମେରାଂ ପାଲଟିଛି ।

ପଦ୍ମପୁର ଉପନିର୍ବାଚନରେ ବିଜୟ ପରେ ପିତା ତଥା ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସମାଧୀ ପୀଠକୁ ଯାଇ କାନ୍ଦି କାନ୍ଦି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ବର୍ଷା ସିଂ ବରିହା । ପିତାଙ୍କ ସମାଧୀ ଆଗରେ ବର୍ଷାଙ୍କ ଆଖିରେ ଲୁହ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଭାବବିହ୍ୱଳ ହୋଇପଡିଥିଲେ ।