ସମାଜସେବା ପାଇଁ କାହିଁକି ଆଗେଇ ଆସିଲେ ଓଲିଉଡ କୁଇନ୍ ? ସିନେ ପରଦାରୁ ଲୋକଙ୍କ ସମସ୍ୟା ବୁଝି ଦେଉଛନ୍ତି କି ବଡ ବାର୍ତ୍ତା ? ସମାଜସେବାରେ ଆଗକୁ ବଢି ଚଳାଉଛନ୍ତି କି ନୂଆ ତୀର ? ଅନୁଭବଙ୍କୁ ଦେବେ କି ଚେକ୍ ?

2,248

କନକ ବ୍ୟୁରୋ: ବର୍ଷା-ଅନୁଭବଙ୍କ ପାରିବାରିବ ବିବାଦ ଟିକେ ଥମିଥିବା ବେଳେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ । କୋର୍ଟର କାଠଗଡାକୁ ସମ୍ପର୍କର କଳି ଯାଇଥିବା ବେଳେ କୁହାଯାଉଛି ସମାଜ ସାମ୍ନାକୁ ଆସିବାକୁ ନୂଆ ନୂଆ ଆଭିମୁଖ୍ୟ ଆପଣାଉଛନ୍ତି ଓଲିଉଡ କୁଇନ । ସ୍ୱାମୀ-ସ୍ତ୍ରୀଙ୍କ ଘରୋଇ କଳି ସୁପ୍ରିମକୋର୍ଟ ଯାଏଁ ପହଞ୍ଚିଥିବା ବେଳେ କିଛି ଦିନ ତଳେ ବେଶ ଚର୍ଚ୍ଚାରେ ରହିଥିଲା ଏହି ସେଲିବ୍ରିଟି ଯୋଡିଙ୍କ ବିବାହ ବିଚ୍ଛେଦର ବିବାଦ । ଆଉ ଏବେ ସମାଜସେବା ମାଧ୍ୟରେ ସ୍କ୍ରିନରୁ ସତ ଦୁନିଆ, ରିଲରୁ ରିୟଲ ଆଡକୁ ଯାଉଛନ୍ତି ଲୋକପ୍ରିୟ ନାୟିକା ବର୍ଷା ।

ଗତ କିଛି ଦିନ ହେବ ବର୍ଷା ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ଜଡିତ ରଖୁଥିବା ଦେଖିବାକୁ ମିଳିଛି । ସମସ୍ୟାର ସମାଧାନ କରି ପ୍ରତିଟି କାର୍ଯ୍ୟକଳାପକୁ ଲୋକଙ୍କ ନିକଟରେ ପହଁଚାଇବା ହେଉ ବା, ଦୁଃଖୀ ରଙ୍କୀଙ୍କୁ ସାହାଯ୍ୟ କରିବା ହେଉ । ଅନେକ ସାମାଜିକ କାମ କରି ଲୋକଙ୍କ ନିକଟତର ହେଉଛନ୍ତି ବର୍ଷା । କିଛି ଦିନ ତଳେ ଓଡିଶାର ନେହା କକ୍କର କୁହାଯାଉଥିବା କୋରାପୁଟର ଗରିବ ଝିଅ ନମିତାକୁ ସହଯୋଗ କରିଥିଲେ ବର୍ଷା । ଆଉ କୋରାପୁଟରୁ କଟକ ଆଣି ଗୀତ ବୋଲାଇଥିଲେ । ଆଉ ପରେ ବଲାଙ୍ଗୀରର ଗୋଟିଏ ଗରିବ ପରିବାରର ଦୁଇ ଛୋଟ ଶିଶୁଙ୍କୁ ସାହାଯ୍ୟ କରିବାକୁ ଟ୍ୱିଟ କରି ଅନୁରୋଧ କରିଛନ୍ତି । ଦୁଇ ଶିଶୁ ଟିକୁ, ରିକୁ ଦାରିଦ୍ରତା ପାଇଁ ଶିଶୁ ଶ୍ରମିକ ସାଜିଛନ୍ତି । ଗରିବି ପାଇଁ ପାଠ ସ୍ୱପ୍ନ ପାଲଟିଛି । ଆଉ ଏହି ନୀରିହ ଶିଶୁଙ୍କୁ ସାହାଯ୍ୟ କରି ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ବର୍ଷା ଟ୍ୱିଟ କରିଛନ୍ତି । ଯାହା ବର୍ଷାଙ୍କ ମାନବିକତାର ପରିଚୟ ଦେବା ସହ ଭିନ୍ନ ଏକ ଦିଗକୁ ମଧ୍ୟ ଇଙ୍ଗିତ କରୁଛି ।

ତେବେ ବର୍ଷା ହଠାତ କଣ ପାଇଁ ସମାଜସେବା ପ୍ରତି ମନ ବଳାଇଲେ ? ପାରିବାରିକ ବିବାଦ ଭିତରେ ଛନ୍ଦି ହୋଇଥିବା ସେଲିବ୍ରିଟି ଅଚାନକ କଣ ପାଇଁ ସାମାଜିକ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ? ରଙ୍ଗୀନ ଦୁନିଆରେ ବଞ୍ଚୁଥିବା ବର୍ଷାଙ୍କ ଭିତରେ ହଠାତ ଏ ପରିବର୍ତ୍ତନ ଅନେକ ପ୍ରଶ୍ନର ପାହାଡ ଛିଡା କରୁଛି?

ସେପଟେ ବର୍ଷାଙ୍କ ସିନେମା ନିମକି ବି ସମାଜସେବା ପାଇଁ ପ୍ରେରଣା ଯୋଗାଇଥିବା କୁହାଯାଉଛି । ନିମପୁର ଭଳି ଛୋଟିଆ ଗାଁର ଗୋଟେ ସାଧାରଣ ଝିଅ କେମିତି ଲୋକଙ୍କ ସମସ୍ୟା ନେଇ ନବୀନ ନିବାସ ଆସୁଛି ତାହା ସିନେମାରେ ଦର୍ଶାଯାଇଥିଲା । ଆଉ ଏବେ ନିମକିର ନାୟିକା ଲୋକଙ୍କ ସମସ୍ୟା ସମାଧାନ କରିବାକୁ ସାମ୍ନାକୁ ଆସୁଛନ୍ତି । ଯାହା ରାଜନୈତିକ ସ୍ତରରେ କିଛି ବଡ ଧରଣର ଖବର ଦେଇପାରେ ବୋଲି ସଙ୍କେତ ମିଳୁଛି । ତେବେ ବର୍ଷାଙ୍କ ଏ ନୂଆ ଅବତାର କିଛି ଭିନ୍ନ ଦିଗକୁ ଇସାରା କରୁଛି କି । ରାଜନୈତିକ ଅଭିଳାସା ରଖି ବର୍ଷା ସାହାଯ୍ୟର ଏ ଉଦ୍ୟମ କରୁ ନାହାନ୍ତି ତ ? ପାରିବାରିକ ବିବାଦର ଏ ଘଡିସନ୍ଧି ମୁହୂର୍ତ୍ତରେ ଅନୁଭବଙ୍କୁ ଚେକ୍ ଦେବାକୁ କିଛି ବଡ ରଣନୀତି କରୁଛନ୍ତି ବର୍ଷା ? କାରଣ ଅଭିନେତାରୁ ରାଜନେତା ହେବା କିଛି ନୂଆ କଥା ନୁହେଁ । ଅନୁଭବ ବି ଅଭିନେତାରୁ ସାଂସଦ ବନିଛନ୍ତି । ଆଉ ଠିକ ଏତିକି ବେଳେ ବର୍ଷାଙ୍କ ଏ ଭିନ୍ନ ରୂପ କଣ ଦର୍ଶାଉଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇପାରେ ।