ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଟୁଇଟ୍ କରି ସାଂସଦ ଅପରାଜିତାଙ୍କୁ  ଟାର୍ଗେଟ କଲେ ବର୍ଷା ପ୍ରିୟଦର୍ଶିନୀ । କହିଲେ, ମନ୍ଦିରକୁ ନେଇ କରନ୍ତୁନି ରାଜନୀତି । 

1,482

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢୁଥିବା ବେଳେ ଏହି ପ୍ରସଙ୍ଗରେ ସାଂସଦ ଅପରାଜିତାଙ୍କୁ ଟୁଇଟ୍ କରି ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ନିଜ ବ୍ୟକ୍ତିଗତ ସୋସିଆଲ୍ ମିଡିଆ ଆକାଉଣ୍ଟରୁ ଏକ ପୋଷ୍ଟ ଲେଖି ବର୍ଷା ଭୁବନେଶ୍ୱର ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ।

ଟୁଇଟ୍ କରି ବର୍ଷା ଲେଖିଛନ୍ତି, ଯେତେବେଳେ ବି ସେ ପୁରୀ ଯାଇଥାନ୍ତି, ସେ ମହିଳାଙ୍କ ପାଇଁ କୌଣସି ଟଏଲେଟ୍ ଦେଖିବାକୁ ପାଇନଥାନ୍ତି । ବିଭିନ୍ନ ଭକ୍ତଙ୍କଠାରୁ ମଧ୍ୟ ସେ ଏଭଳି ଅଭିଯୋଗ ଶୁଣିଛନ୍ତି । ତେଣୁ ସରକାର ଯଦି ଏହି ସୁବିଧା ପୁରୀରେ କରିବାକୁ ଚାହୁଛନ୍ତି, ତେବେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅସୁବିଧା କଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଖାଲି ସେତିକି ନୁହେଁ, ମନ୍ଦିରକୁ ନେଇ ରାଜନୀତି ନକରିବାକୁ ସେ ଟୁଇଟ୍ କରିଛନ୍ତି । ଆଉ ଲେଖିଛନ୍ତି ଗୋଟିଏ ପଟେ ବଦ୍ରିନାଥ ଓ କାଶୀ ବିଶ୍ୱନାଥ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପକୁ ସେ ପ୍ରଂଶସା କରୁଥିବାବେଳେ, ପୁରୀ ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଯଦି ତାଙ୍କ ଭଳି ଅନେକ ଭକ୍ତ ଏହି ସୁବିଧା ଦ୍ୱାରା ଉପକୃତ ହୋଇପାରିବେ ତେବେ ଏଥିରେ ଅସୁବିଧା କଣ ବୋଲି ବର୍ଷା ଟୁଇଟ୍ କରି ପ୍ରଶ୍ନ କରିଛନ୍ତି ।

ମୁଁ ଆପଣଙ୍କୁ ଜଣେ ବିଜ୍ଞ ରାଜନେତା ଭାବୁଥିଲି, ଯେତେବେଳେ ଆପଣ ରାଜନୀତିରେ ପ୍ରବେଶ କଲେ ସେତେବେଳେ ଆପଣ ଓଡିଶାର ବିକାଶ ପାଇଁ କାମ କରିବେ ବୋଲି ଭାବୁଥିଲି, ହେଲେ ଆପଣ ମୋତେ ନିରାଶ କଲେ ବୋଲି ବର୍ଷା ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠିବା ପରେ ଏବେ ସାଧାରଣରେ ଏହି ପ୍ରସଙ୍ଗ ଚର୍ଚ୍ଚାର କାରଣ ପାଲଟିଛି । ରାଜନୈତିକ ବୟାନବାଜି ବି ପୁରା ପ୍ରକଳ୍ପକୁ ବିବାଦରେ ଛନ୍ଦି ପକାଇଛି । ଅନ୍ୟପଟେ ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଏହାକୁ ନେଇ ଟୁଇଟ୍ କରିବା ପରେ ଏହାକୁ ନେଇ ରାଜନୀତି ତେଜିଛି ।