ବର୍ଷା-ଅନୁଭବ ବିଦାଦ ଭିତରେ ଆସିଲା ବର୍ଷାଙ୍କ ଆଉ ଏକ ବାର୍ତ୍ତା: ବର୍ଷା କହିଲେ, କୌଣସି ସ୍ଥିତିରେ ବି ଯିବି ନାହିଁ ବାପଘର; ଅନୁଭବଙ୍କୁ ବାହା ହୋଇଛି, ସମ୍ପୁର୍ଣ୍ଣ ଭାବେ ଶାଶୁ ଘରେ ରହିବାର ଅଧିକାର ଅଛି

ଶାଶୁ ଘରେ ରହି ଆଇନ ଦ୍ୱାରା କରିବେ ସମସ୍ୟାର ସମାଧାନ

625
କନକ ବ୍ୟୁରୋ: ବର୍ଷା-ଅନୁଭବ ବିଦାଦ ଭିତରେ ପୁଣି ଆସିଲା ବର୍ଷାଙ୍କ ଆଉ ଏକ ବାର୍ତ୍ତା । ଯେଉଁଥିରେ ବର୍ଷା ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ କୌଣସି ବି ସ୍ଥିତିରେ ବାପଘରକୁ ଯିବି ନାହିଁ । ମୁଁ ଅନୁଭବଙ୍କୁ ବାହା ହୋଇଛି ଏବଂ ସମ୍ପୁର୍ଣ୍ଣ ଭାବେ ଶାଶୁ ଘରେ ରହିବାର ଅଧିକାର ଅଛି । ଶାଶୁ ଘରେ ରହି ଆଇନ ଦ୍ୱାରା ସମସ୍ୟାର ସମାଧାନ କରିବି ।

ବର୍ଷା ଆହୁରି ମଧ୍ୟ ଲେଖିଛନ୍ତି ଯେ, ମୁଁ ଅନୁଭବଙ୍କୁ ବାହା ହୋଇଛି । ବାହାଘର ଓ ମୋ ମଥାର ସିନ୍ଦୁର ମୋ ପାଇଁ ଖେଳ ନୁହେଁ । ମୁଁ ଜଣେ ସୁଗୃହିଣୀ ହିସାବରେ ମୋର ପ୍ରତିଟି କର୍ତ୍ତବ୍ୟ ଓ ଦାୟିତ୍ୱ କରିଆସିଛି । ଆଜି ପର୍ଯ୍ୟନ୍ତ ମୋ ସ୍ୱାମୀଙ୍କ ପ୍ରତି ମୁଁ ବିଶ୍ୱସ୍ତ ହୋଇରହିଛି ।  ମୋ ସ୍ୱାମୀ ଆଜି ଅବାଟକୁ ଚାଲିଯାଇଛନ୍ତି । ସବୁ ସହି ତାଙ୍କୁ ଅବାଟକୁ ଫେରାଇ ଆଣିବାକୁ ବିଶ୍ୱାସ ରଖିଛି । ଯେତେବେଳେ ମୋ ବାହାଘରକୁ ଭାଙ୍ଗିବା ପାଇଁ ମୋ ଉପରେ ଚାପ ପଡିଲା ଏବଂ ବାହାଘର ପୁରାପୁରି ଅସୁରକ୍ଷିତ ହୋଇଗଲା ସେତେବେଳେ ମୋତେ ଆଇନର ସାହାର ନେବାକୁ ପଡିଲା । ମୁଁ ମୋ ସ୍ୱାମାଙ୍କୁ ସବୁବେଳେ ଭଲପାଇଛି । ମୋର ଶେଷ ଜୀବନ ଯାଏ ମୁଁ ଅନୁଭବଙ୍କ ବିବାହିତ ପତ୍ନୀ ହୋଇ ରହିବାକୁ ଚାହେଁ । ଏତେ ସବୁ ପରେ ମଧ୍ୟ ମୁଁ ଛାଡପତ୍ର ଚାହେଁ ନାହିଁ ବରଂ ମୋ ସ୍ୱାମୀ ପରିବର୍ତ୍ତନ ହୋଇ ଠିକ୍ ବାଟକୁ ପୁଣି ଥରେ ଫେରି ଆସିବେ ବୋଲି ମୋର ଆଶା ଓ ବିଶ୍ୱାସ ରହିଛି ।

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ମୋ ସ୍ୱାମୀ ନିଜେ ପ୍ରମାଣିତ କରିଛନ୍ତି ମୁଁ କିପରି ମୋ ଶାଶୁଘର ଲୋକଙ୍କ ସହିତ ମିଶିକି ଚଳୁଛି, ଯାହାକି ତାଙ୍କ ନିଜ ପିଟିସନରେ ଲିଖିତ ଅଭିଯୋଗରେ ମିଥ୍ୟା ବୋଲି ପ୍ରମାଣିତ କରୁଛି । ଘରୋଇ ହିଂସା ସବୁଦିନ ଚବିଶ ଘଂଟା ହୋଇନଥାଏ ବରଂ କିଛି କିଛି ଘଟଣାକୁ ନେଇ କି ହୋଇଥାଏ । ଦରକାର ପଡିଲେ ସେମିତି କିଛି ଘଟଣାର ପ୍ରମାଣ ମୁଁ କୋର୍ଟକୁ ଦେବି ଏବଂ ମୋ ବାହାଘରକୁ ବଂଚେଇବାକୁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରି ଚାଲିବି ବୋଲି ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

Comments are closed.