ଅନେକ ଝିଅଙ୍କ ସହ ଅନୁଭବ ସମ୍ପର୍କ ରଖିଥିବା ଅଭିଯୋଗ ଆଣିଲେ ବର୍ଷା । କହିଲେ, ମଦ୍ୟପାନ କରି ଅଶାଳୀନ ବ୍ୟବହାର କରନ୍ତି ଅନୁଭବ । ଘରୋଇ ହିଂସା ଓ ମାନସିକ ଅତ୍ୟାଚାରର ବି ଆଣିଲେ ଅଭିଯୋଗ ।

2,128

କନକ ବ୍ୟୁରୋ : ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଓ ବିଉଟି କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଜୀବନରେ ଉଠିଛି ଝଡ । ଯାହା ଆପଣଙ୍କୁ ସିନେମାର କାହାଣୀ ଭଳି ଲାଗିବ, ହେଲେ ଏହା କୌଣସି ଫିଲ୍ମର କାହାଣୀ ନୁହେଁ । ସାଂସଦ ଅନୁଭବଙ୍କ ପତ୍ନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ଘରୋଇ ହିଂସା ଓ ମାନସିକ ଅତ୍ୟାଚାର ଭଳି ସାଂଘାତିକ ଅଭିଯୋଗ । ଏଥିପାଇଁ କୋର୍ଟର ଦ୍ୱାରସ୍ଥ ହୋଇ ଭରଣ ପୋଷଣ ଦାବି କରିବା ସହ ମାଗିଛନ୍ତି ନ୍ୟାୟ । ସେପଟେ ଅନୁଭବ କହିଛନ୍ତି, ଏପର୍ଯ୍ୟନ୍ତ ତାଙ୍କୁ କୌଣସି ଲିଗାଲ ନୋଟିସ ମିଳି ନାହିଁ ।

ଓଲିଉଡର ସୁପରଷ୍ଟାର ଯୋଡ଼ି ବର୍ଷା-ଅନୁଭବଙ୍କ ଜୀବନ କାହାଣୀରେ ଏଭଳି ଏକ ଝଡ଼ ଉଠିଛି, ଯାହା ଶୁଣିଲେ ହୁଏତ ଲାଗିପାରେ ଏହା କୌଣସି ଫିଲ୍ମର ଦୃଶ୍ୟ, କିନ୍ତୁ ଏହା କୌଣସି କାଳ୍ପନିକ କାହାଣୀ ହୋଇ ରହିନାହିଁ । ଚର୍ଚ୍ଚିତ ଯୋଡ଼ିଙ୍କ ଘରେ ଉଠିଥିବା ଝଡ଼ ଏବେ କୋର୍ଟ-କଚେରୀ ଦେଇ ଏକ ଭିନ୍ନ ମୋଡ଼କୁ ପହଂଚି ସାରିଛି ।

ନ୍ୟାୟ ମାଗୁଛନ୍ତି ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ସ୍ୱାମୀ ଅନୁଭବଙ୍କ ବିରୋଧରେ କୋର୍ଟରେ ଅଭିଯୋଗ । କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ଭରଣପୋଷଣ ମାମଲା ରୁଜୁ କରିଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । କଟକ ଏସଡିଜେଏମ୍ କୋର୍ଟରେ ଘରୋଇ ହିଂସା ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ଏଥିସହ ସେ କ୍ଷତିପୂରଣ, ଭରଷପୋଷଣ, ଘରଭଡ଼ା, ଚିକିତ୍ସା ଆଦି ଖର୍ଚ୍ଚ ଦାବି କରିଛନ୍ତି । ଏଥିରେ ସେ ଘରଭଡ଼ା ବାବଦରେ ୨୦ ହଜାର, ମାସିକ ଭରଣପୋଷଣ ପାଇଁ ୫୦ ହଜାର, କ୍ଷତିପୂରଣ ବାବଦରେ ୧୩ କୋଟି, ଚିକିତ୍ସା ଓ ରୋଜଗାର ହରାଇଥିବାରୁ ୨ କୋଟି କ୍ଷତିପୂରଣ ଦାବି କରିଛନ୍ତି ।

ପ୍ରୋଟେକ୍ସନ ଫ୍ରମ ଓମେନ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ୨୦୦୫ର ଦଫା ୧୨, ୧୭, ୧୮, ୧୯, ୨୦ ଏବଂ ୨୨ରେ ମକଦ୍ଦମା ରୁଜୁ ହୋଇଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଅନୁଭବ ମହାନ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି,
-ମଦ୍ୟପାନ କରି ଅଶାଳୀନ ବ୍ୟବହାର କରୁଥିଲେ
-ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ
-ବହୁ ଝିଅଙ୍କ ସହ ଅନୁଭବଙ୍କର ସମ୍ପର୍କ ରହିଛି
-ଫିଲ୍ମରୁ ଆସୁଥିବା ପାରିଶ୍ରମିକ ଅନୁଭବ ନେଉଥିଲେ

୮ ଫେବୃୟାରୀ ୨୦୧୪ ମସିହାରେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଉଭୟ ପରିବାରର ସହମତିରେ ବିବାହ କରିଥିଲେ । ଏହା ପରେ ଏକାଧିକ ଥର ବର୍ଷା ଓ ଅନୁଭବଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଥା ଶୁଣା ଯାଇଥିଲେ ସୁଦ୍ଧା ଆଜି ଭଳି ସ୍ଥିତି ପୂର୍ବରୁ କେବେ ସୃଷ୍ଟି ହୋଇନଥିଲା ।