କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ନେତାଙ୍କ ବୟାନବାଜି କମିବାର ନାଁ ନେଉନାହିଁ । ପଦ୍ମପୁରରେ ଏବେ ଚାଲିଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଆଉ ଏହାରି ଭିତରେ ବିଜେପି ନେତାଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ତାଙ୍କ ନାଁରେ ବିଜେପି କର୍ମୀ ଯେଉଁଭଳି ଅପପ୍ରଚାର କରୁଛନ୍ତି ତାହା କିପରି ନାରୀଙ୍କୁ ସମ୍ନାନ ବୋଲି ପ୍ରଶ୍ନ କରିଛନ୍ତି? ଭିଡ଼ିଓରେ ବର୍ଷା କହିଛନ୍ତି, ମୋର ବିବାହକୁ ନେଇ ଅପପ୍ରଚାର କରୁଛନ୍ତି ବିଜେପି କର୍ମୀ । ଏହା ମୋତେ ମାନସିକସ୍ତରରେ ବହୁତ କଷ୍ଟ ଦେଉଛି । ଏମିତି କରି ପଶ୍ଚିମ ଓଡ଼ିଶା ଓ ଭାରତର ସଂସ୍କୃତି ଓ ପରମ୍ପରାକୁ ଅପମାନିତ କରୁନାହାନ୍ତି କି ବିଜେପି କର୍ମୀ? ପଦ୍ମପୁର ମୋର ଜନ୍ମମାଟି, ଏ ମାଟିର ସେବା କରିବାରେ ଅସୁବିଧା କଣ । ରାଜନୀତିରେ ଶାଳୀନତା ରହିବା କଥା । ବିଜେପି ନେତାଙ୍କ ଘରେ ବି ଝିଅ, ମା’ ଥିବେ ତାହା ହେଲେ ମୋତେ କେମିତି ଅପମାନିତ କରୁଛ ବୋଲି ପ୍ରଶ୍ନ କରିଛନ୍ତି ବର୍ଷା । ପ୍ରଚାର ଭିତରେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
କିଛି ଦିନ ତଳେ ବିଜେପି ନେତାମାନେ କହିଥିଲେ ବର୍ଷା ବରିବା ବିବାହ କରିଥିବାରୁ ସେ ନିର୍ବାଚନ ସରିଗଲେ ଶାଶୁ ଘରକୁ ଚାଲିଯିବେ । ତେଣୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ୍ ଦିଅନ୍ତୁ ସେ ଆପଣଙ୍କ ପାଖରେ ଅଛନ୍ତି ଏବଂ ରହିବେ । ଏପରିକି ବର୍ଷାଙ୍କ ନାଁରେ ସୋସିଆଲ ମିଡ଼ିଆରେ ଅପପ୍ରଚାର କରାଯାଇଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଆଜି ବିଜେପିକୁ କାଉଁଣ୍ଟର କରିଛନ୍ତି ବର୍ଷା ।