ପୁରୀଘାଟ ଥାନାରେ ବର୍ଷାଙ୍କ ଏତଲା : ଭାଇରାଲ ଭିଡିଓ ପ୍ରସଙ୍ଗକୁ ନେଇ ଥାନାରେ ଦେଲେ ଏତଲା; ଭିଡିଓ ଯୋଗୁଁ ସମ୍ମାନରେ ଆଞ୍ଚ ଆସିଥିବା ଅଭିଯୋଗ

486

କନକ ବ୍ୟୁରୋ :ତେଜିବାର ଲାଗିଛି ବର୍ଷା ଅନୁଭବ ବିବାଦ । ଅନୁଭବଙ୍କ ଭାଇରାଲ ଭିଡ଼ିଓ ପ୍ରସଙ୍ଗରେ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । କଟକ ପୁରୀ ଘାଟ ଥାନାକୁ ଯାଇ ଅଭିଯୋଗ ଦେଇଛନ୍ତି ବର୍ଷା । ଦୁଇ ଦିନ ତଳେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ବର୍ଷା ଅନୁଭବ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା ।

ଅନୁଭବ କହୁଥିଲେ ବାପା ମାଆଙ୍କ ଆର୍ଶୀବାଦ ଥିବା ଯାଏଁ ତାଙ୍କୁ କେହି ହରେଇ ପାରିବେ ନାହିଁ । ଆଉ ଏହାର ଜବାବ ରଖୁଥିଲେ ଅଭିନେତ୍ରୀ ବର୍ଷା । ଏହି ଭିଡ଼ିଓକୁ ନେଇ ଥାନାରେ ଏତଲା ଦିଆଯାଇଛି । ଉକ୍ତ ଭିଡିଓରେ ଅନୁଭବ ରୁମ୍‌ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଦେଖା ଯାଇଥିବା ବେଳେ ବର୍ତ୍ତମାନ ମାମଲା କୋର୍ଟରେ ଥିବାରୁ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି । ବର୍ଷାଙ୍କ ସୁରକ୍ଷା ପାଇଁ ଥିବା ପୁଲିସ୍‌ କର୍ମଚାରୀଙ୍କ ଭୂମିକାକୁ ନେଇ ଅନୁଭବ ପ୍ରଶ୍ନ ଉଠାଇବା ସହ ଅନ୍ୟମାନେ ଯଦି ଆସିବେ ତେବେ ତାଙ୍କ ସାଙ୍ଗସାଥୀଙ୍କୁ ମଧ୍ୟ ସେ ଆଣିବେ ବୋଲି କହୁଥିବା ଦେଖାଯାଇଛି। କେବଳ ଏତିକି ନୁହେଁ, ଭିଡିଓରେ ଉଭୟ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ଦେଖାଯାଇଥିଲା। ଏହି ଭିଡିଓ ଏବେ ବେଶ୍‌ ଚର୍ଚ୍ଚାରେ ରହିଛି ।

ସୂଚନା ଥାଉକି କିଛିଦିନ ହେବ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏନେଇ ମାମଲା ଛାଡପତ୍ର ପର୍ଯ୍ୟନ୍ତ ଯାଇଛି । ଏହା ସହ ଏମାନଙ୍କ ସଂପର୍କ ମଧ୍ୟରେ ଦିଲ୍ଲୀର ଜଣେ ସାମ୍ବାଦିକାଙ୍କ ସହ ଅନୁଭବଙ୍କର ସଂପର୍କ ଥିବା ବି ଚର୍ଚ୍ଚା ହୋଇଛି ।