ବର୍ଷା ପ୍ରିୟଦର୍ଶିନୀ ହାଜର ହୋ… । ଛାଡପତ୍ର ମାମଲାରେ ହାଜର ହେବାକୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟରୁ ଆସିଲା ନୋଟିସ, ଅନୁଭବ କହିଲେ ଏମିତି କଥା ।

1,032

କନକ ବ୍ୟୁରୋ : ପ୍ରାୟ ଠିକ ମାସକ ତଳେ ରାଜ୍ୟ ଗଣମାଧ୍ୟମର ଖବର ଶୀର୍ଷରେ ଯେଉଁ ପ୍ରସଙ୍ଗ ଥିଲା, ତାହା ପୁଣି ଚର୍ଚ୍ଚାକୁ ଆସିଛି । ବର୍ଷାଙ୍କ ଠାରୁ ଛାଡପତ୍ର ପାଇଁ ଯେଉଁ ପିଟିସନ ଅନୁଭବ ଦାଖଲ କରିଥିଲେ ତାର ଶୁଣାଣି ହୋଇ, ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ପଟିଆଲା ହାଉସ କୋର୍ଟ । ଶୁଣାଣି ବେଳେ ଅନୁଭବଙ୍କ ଓକିଲ ଯୁକ୍ତି ରଖି କହିଥିଲେ,
– ଗତ ୭ ବର୍ଷରେ ଅନୁଭବ କେଉଁଭଳୀ ସମସ୍ୟା ସାମ୍ନା କରିଛନ୍ତି
– ଉଭୟଙ୍କ ଭିତରେ ଶାରିରୀକ ସମ୍ବନ୍ଧ ନଥିବାରୁ ବାହାଘରରେ ପୂର୍ଣ୍ଣତା ଆସିନାହିଁ
– ଏହି ଅବଧିରେ ଅନୁଭବ ଅନେକ ଶାରିରୀକ ଓ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରିଛନ୍ତି

ଛାଡପତ୍ର ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୦ ତାରିଖରେ ହେବାକୁ ଯାଉଛି । ଆଉ ଏହି ଶୁଣାଣି ପାଇଁ ବର୍ଷାଙ୍କୁ ହାଜର ହେବାକୁ ପଡିବ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି । ଶୁଣାଣି ପରେ ଅନୁଭବ କହିଛନ୍ତି, ସମସ୍ତଙ୍କର ଆଶୀର୍ବାଦ ତାଙ୍କ ଉପରେ ରହିଥାଉ । ଯାହା ବି ହେଉ ଭଲରେ ହେଉ । ବର୍ଷାଙ୍କ ପ୍ରତି ମୋର ସମସ୍ତ ସମ୍ମାନ ରହିଛି । କୋର୍ଟ ଯେତେବେଳେ ଯାହା କହିବେ, ତାକୁ ମାନିବି ।

ପୂର୍ବରୁ ଦିଲ୍ଲୀରେ ହୋଇଥିବା ମାମଲାକୁ କଟକକୁ ସ୍ଥାନାନ୍ତର କରିବାକୁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ଏହି ମାମଲର ଶୁଣାଣି ଏଯାଏଁ ହୋଇନଥିବାରୁ ବର୍ଷାଙ୍କ ପରବର୍ତୀ ପଦକ୍ଷେପ କଣ ହେବ, ତା ଉପରେ ସମସ୍ତଙ୍କ ନଜର ରହିଛି ।

ବର୍ଷା-ଅନୁଭବ । ଓଲିଉଡ ଇଣ୍ଡଷ୍ଟ୍ରୀର ବହୁଚର୍ଚ୍ଚିତ ନାଁ । ଆଉ ଉଭୟଙ୍କ ଜୀବନରେ ଉଠିଥିବା ଝଡ ଯଥେଷ୍ଟ ଚର୍ଚ୍ଚା ସାଉଁଟିଛି । ବିବାଦ ଯଥେଷ୍ଟ ଆଗକୁ ବଢିଯାଇଛି । ଅନୁଭବ ଅଭିଯୋଗ ଆଣୁଛନ୍ତି ଆଉ ବର୍ଷା ଜବାବ ରଖୁଛନ୍ତି । ଆଉ ବର୍ଷାଙ୍କ କ୍ୟାମ୍ପରୁ ଅଭିଯୋଗ ଆସିଲେ ମୁହଁ ଖୋଲୁଛନ୍ତି ଅନୁଭବ । ବିବାଦ, ଆଉ ଘରର ଚାରି କାନ୍ଥ ଭିତରେ ସୀମିତ ହୋଇ ରହିନାହିଁ । ମାମଲା କୋର୍ଟରେ ପହଁଚିବା ସହ ଉଭୟଙ୍କ ଜୀବନରେ ଆସିଥିବା ଝଡ ଆଉ ସମସ୍ତ ଅଭିଯୋଗକୁ ନେଇ ରାଜନୀତି ସରଗରମ ହୋଇଥିବା ବେଳେ କୋର୍ଟଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।