ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲା ଖାରଜ

 ଛାଡ଼ପତ୍ର ଆବେଦନରେ ବିବାହ ସ୍ଥାନ ଦିଲ୍ଲୀ ଦର୍ଶାଇଥିଲେ ଅନୁଭବ; ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗ କରି ୨୭ ଅଗଷ୍ଟରେ ପିଟିସନ ଫାଇଲ କରିଥିଲେ ବର୍ଷା

284

କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିବାରେ ଲାଗିଛି । ଏପରି ସ୍ଥଳେ କଟକ ଫ୍ୟାମିଲି କୋର୍ଟରେ ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାକୁ ଖାରଜ କରିଛନ୍ତି କୋର୍ଟ । ଅନୁଭବଙ୍କ ପକ୍ଷରୁ ଛାଡପତ୍ର ପାଇଁ ଆବଦେନ କରାଯାଇଥିବା ଏହି ମାମଲା ମିଥ୍ୟ ବୋଲି ବର୍ଷା ଅଭିଯୋଗ କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ପଟିଆଲା ହାଉସ ଅଦାଲତରୁ ସ୍ଥାନାନ୍ତର ହୋଇ କଟକ ପରିବାର ଅଦାଲତକୁ ଶୁଣାଣି ପାଇଁ ଆସିଥିବା ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ବିରୋଧ କରି ବର୍ଷା ଗତ ଅଗଷ୍ଟ ୨୭ରେ ଏହି ପିଟିସନ୍ ଦାଖଲ କରିଥିଲେ ।

ମୂଳ ଛାଡ଼ପତ୍ର ଆବେଦନ ସହିତ ଅନୁଭବ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଅଭିଯୋଗ କରିଥିଲେ ବର୍ଷା । ଛାଡ଼ପତ୍ର ଆବେଦନରେ ବିବାହ ସ୍ଥାନ ଦିଲ୍ଲୀ ବୋଲି ଦର୍ଶାଯାଇଥିଲା ଯାହା କି ସତ ନୁହେଁ । ଅନୁଭବ ଜଣେ ସାଂସଦ ହୋଇଥିବା ବେଳେ ଏଭଳି ମିଥ୍ୟା ସତ୍ୟପାଠ ଦାଖଲ ସଂସଦ ପ୍ରତି ଅସମ୍ମାନ । ମିଥ୍ୟା ସତ୍ୟପାଠ ଦାଖଲ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି ବୋଲି ବର୍ଷାଙ୍କ ପିଟିସନରେ ଉଲ୍ଲେଖ କରାଯାଇଥିଲା । ଅନ୍ୟପକ୍ଷରେ ଅନୁଭବଙ୍କ ପକ୍ଷରୁ ଏପରି ପିଟିସନକୁ ବିରୋଧ କରାଯାଇ ଦର୍ଶାଯାଇଥିଲା ଯେ ସେ କୌଣସି ତଥ୍ୟ ଲୁଚାଇ ନାହାନ୍ତି କି ମିଥ୍ୟା ସତ୍ୟପାଠ ଦେଇ ନାହାନ୍ତି ।

ଛାଡ଼ପତ୍ର ଆବେଦନ ଟାଇପ ସମୟରେ କେତେକ ଅନିଚ୍ଛାକୃତ ତ୍ରୁଟି ରହିଥିବା ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା। ପରିବାର ଅଦାଲତ ଶୁଣାଣି କରି ବର୍ଷାଙ୍କ ପିଟିସନକୁ ଖାରଜ କରିଛନ୍ତି । ଏଥି ସହିତ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ସେପ୍ଟେମ୍ବର ୧୪କୁ ତାରିଖ  ଧାର୍ଯ୍ୟ କରିଛନ୍ତି । ଏ ନେଇ ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଆଲୋକ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।