କନକ ବ୍ୟୁରୋ: ସରକାରୀ ଯୋଜନାରେ ହିତାଧିକାରୀଙ୍କୁ ମିଳୁନି ଚାଉଳ । ସମସ୍ୟା ଘେରରେ ଥିବା ହିତାଧିକାରୀ ଦଉଡ଼ି ଦଉନି ନୟାନ୍ତ ହେଲେ ବି କେହି ତାଙ୍କ ଅଭିଯୋଗ ଶୁଣୁନାହାନ୍ତି । ହେଲେ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଛି ଭିନ୍ନ ଖବର । ବଣାଇ ବ୍ଲକର ବଡ଼ ଗୋଗୁଆ ପଞ୍ଚାୟତରେ ପୋତିଦେଲେ ବସ୍ତା ବସ୍ତା ପିଡିଏସ ଚାଉଳ । ପଞ୍ଚାୟତ ଅଫିସ ପଛ ପାଖରେ ଥିବା ଟାଙ୍କିରେ ଚାଉଳ ପୋତା ହୋଇଥିବା ଦେଖିଥିଲେ କିଛି ଲୋକ । ଯାହା ପରେ ଘଟଣା ସାମ୍ନାକୁ ଆସିଥିଲା । ହେଲେ ଗରିବ ଲୋକ ଚାଉଳ ପାଉନଥିବା ବେଳେ ମାଟିତଳେ ବସ୍ତା ବସ୍ତା ଚାଉଳ ପୋତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖରାପ ହେବାରୁ ଚାଉଳ ପୋତାଯାଇଛି କି ଏହା ପଛରେ ଅନ୍ୟ କିଛି ଉଦ୍ଦେଶ୍ୟ ରହିଛି ସେନେଇ ତ୍ରୀବ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏନେଇ ପଚରାଯିବାରୁ ସେ ଏ ବାବଦରେ କିଛି ଜାଣିନଥିବା ଏବଂ ଘଟଣା ସମ୍ପର୍କରେ ତାଙ୍କୁ ସମ୍ପୃକ୍ତ ନିରୀକ୍ଷକ କିମ୍ବା ସହାୟକ ଯୋଗାଣ ଅଧିକାରୀ ଅବଗତ କରିନଥିବା କହିଛନ୍ତି ।