ଗାଁରୁ ବାସନ୍ଦ ହେଲେ ଅନ୍ତର୍ଜାତୀୟ ପୁରସ୍କାର ବିଜେତା ସମାଜସେବୀ । ଶିବରାତ୍ରୀରେ ଡିଜେକୁ ବିରୋଧ କରିବାରୁ ଗ୍ରାମବାସୀ ନେଲେ ନିଷ୍ପତ୍ତି ।

585

କନକ ବ୍ୟୁରୋ: ଗାଁରୁ ବାସନ୍ଦ ହେଲେ ଆଦିବାସୀଙ୍କ ହକ ପାଇଁ ଲଢେଇ କରୁଥିବା ଅନ୍ତର୍ଜାତୀୟ ସମାଜସେବୀ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଚାନ୍ଦମଣି ସାଂଡିଲ । ଏନେଇ ଚାନ୍ଦମଣି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏପରିକି ନିଜର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ନେଇ ସେ ମାନବାଧିକାର ସହ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ମଧ୍ୟ କହିଛନ୍ତି ଚାନ୍ଦମଣି । ମହାଶିବରାତ୍ରିରେ ଚାନ୍ଦିପୋଷ ଥାନା ଏରଗେଡା ଗାଁରେ ଜାଗର ପାଇଁ ଡିଜେ ବାଜୁଥିଲା । ନିୟମ ଅନୁସାରେ ରାତି ୧୦ଟା ପରେ ଡିଜେ ବନ୍ଦ ହେବା କଥା । ହେଲେ ସକାଳ ପର୍ଯ୍ୟନ୍ତ ବାଜିଥିଲା ଡିଜେ । ଯାହାକୁ ବିରୋଧ କରିଥିଲେ ଚାନ୍ଦମଣି । ପରେ ଗାଁ ଲୋକ ମିଶି ଏକ ଗୁପ୍ତ ବୈଠକ କରି ଗାଁରୁ ଚାନ୍ଦମଣିଙ୍କୁ ଜାତି ବାସନ୍ଦ କରିବା ପାଇଁ ନିଷ୍ପତି ନେଇଥିବା ଅଭିଯୋଗ ହୋଇଛି । ତାଙ୍କ ସହ କିମ୍ବା ତାଙ୍କ ପରିବାର ସହ ଗାଁର କେହି କଥା ହେବେନାହିଁ ।

ଏପରିକି ଗାଁରେ ହେଉଥିବା କୌଣସି ବି କାର୍ଯ୍ୟକ୍ରମକୁ ଚାନ୍ଦମଣି ଓ ତାଙ୍କ ପରିବାରକୁ ଡକା ଯିବନାହିଁ କି ତାଙ୍କର ମଧ୍ୟ କୌଣସି କାମରେ ଗାଁ ଲୋକ ଯିବେନାହିଁ । ଏପରିକି ଏହାର ଯିଏ ଖିଲାପ କରିବ ତାଙ୍କୁ ୫ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ଚୂଡାନ୍ତ ନିଷ୍ପତି ନେଇଛନ୍ତି ଗାଁ ଲୋକ । ଏହାସହ ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଷଡଯନ୍ତ୍ର କରାଯାଇଥିବା ଭଳି ସଂଗୀନ ଅଭିଯୋଗ କରିଛନ୍ତି ଏହି ଆନ୍ତର୍ଜାତିକ ସମାଜସେବୀ । ତେବେ ଏ ସମ୍ପର୍କରେ ଏସପିଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।