କୋର୍ଟରେ ଝୁଲୁଛି ‘ବର୍ଣ୍ଣବୋଧ’ର ଭାଗ୍ୟ! ବନ୍ଦ କୋଠରୀରେ ଅଚଳ ପଡିଛି ୧ ଲକ୍ଷ ନୂଆ ‘ବର୍ଣ୍ଣବୋଧ’ ବହି

351

କନକ ବ୍ୟୁରୋ : ଛବିଳ ମଧୁ ବର୍ଣ୍ଣବୋଧ ଓ ଓଡ଼ିଆ ବର୍ଣ୍ଣବୋଧକୁ ନେଇ ୪ ବର୍ଷ ହେଲା ଚାଲିଛି ବିବାଦ । ଓଡ଼ିଆ ଭାଷା ପ୍ରତିଷ୍ଠାନର ବନ୍ଦ କୋଠରୀରେ ଅଚଳ ହୋଇପଡ଼ିଛି ୧ ଲକ୍ଷରୁ ଅଧିକ ନୂଆ ବହି । ଓଡ଼ିଆ ଭାଷା ପ୍ରତିଷ୍ଠାନ ଆଜି ତାର ୧୩ତମ ପ୍ରତିଷ୍ଠା ଦିବସ ଓ ଉକ୍ରଳ ଦିବସ ପାଳୁଥିବା ବେଳେ ଆଉଥରେ ଭକ୍ତକବି ମଧୁସୂଦନ ରାଓଙ୍କ ୧୨୨ ବର୍ଷ ତଳର ଛବିଳ ମଧୁ ବର୍ଣ୍ଣବୋଧ ଛପାଯିବ କି ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ ।

ଭକ୍ତ କବିଙ୍କ ଛବିଳ ମଧୁ ବର୍ଣ୍ଣବୋଧକୁ ସରଳ କରିବାକୁ ଯାଇ ୪ ବର୍ଷ ତଳେ ଫସିଗଲା ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଷ୍ଠାନ- ଓଡ଼ିଆ ଭାଷା ପ୍ରତିଷ୍ଠାନ । ଛବିଳ ମଧୁ ବର୍ଣ୍ଣବୋଧ ପରିବର୍ତେ ଛପାଗଲା ଓଡ଼ିଆ ବର୍ଣ୍ଣବୋଧ । ଏଥିରେ ଯୁକ୍ତାକ୍ଷର ପରିବର୍ତ୍ତେ ଆସିଲା ଅନୁସ୍ୱାର, ତିନିଟି ସ’ ପରିବର୍ତ୍ତେ ଗୋଟିଏ ‘ସ’ । ଦୀର୍ଘ-ଈକୁ ହଟାଇ ଦିଆଯାଇ କେବଳ ଦିଆଗଲା ହସ୍ୱର୍-ଇ । ଅତି ପରିଚିତ ବର୍ଣ୍ଣବୋଧରୁ “ମଧୁ’’ଶବ୍ଦକୁ କାଟିବା ଠିକ୍ ହୋଇନାହିଁ ଦର୍ଶାଇ ଅନେକ ସାହିତ୍ୟିକ ହାଇକୋର୍ଟ ଗଲେ । ଏବେ ବି ମାମଲା ରହିଛି ହାଇକୋର୍ଟରେ । ମାତ୍ର ଭକ୍ତ କବିଙ୍କ ଛବିଳ ମଧୁବର୍ଣ୍ଣବୋଧକୁ ଆଉ ଥରେ ଛାପିବା କାମରୁ ବି ଦୂରେଇଗଲେ ସରକାର ।

ତେବେ ସରକାର ଆଉ ସେ ନୂଆ ଓଡ଼ିଆ ବର୍ଣ୍ଣବୋଧ ଛାପିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ । ବରଂ କମ୍ପ୍ୟୁଟର ଉପଯୋଗୀ ପୁରୁଣା ଛବିଳ ମଧୁ ବର୍ଣ୍ଣବୋଧ ଛପାଯିବ ବୋଲି କହିଛନ୍ତି ପାଣିଗ୍ରାହୀ । ଅନ୍ୟପଟରେ କୋର୍ଟରୁ ମାମଲା ଉଠିଲେ, ଭାଷା ପ୍ରତିଷ୍ଠାନ ପୁରୁଣା ମଧୁ ବର୍ଣ୍ଣବୋଧ ଛାପିବାରେ ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିିକା ଡ. ତମସାରାଣୀ ଦାସମହାପାତ୍ର ।

ଏବେ ପ୍ରଶ୍ନ ଉଠୁଛି ନୂଆ ବର୍ଣ୍ଣବୋଧ ଛାପିବା ନେଇ ନିଷ୍ପତ୍ତି ନେବା ପୂର୍ବରୁ ଭାଷା ପ୍ରତିଷ୍ଠାନ ବ୍ୟାପକ ପରାମର୍ଶ କଲା ନାହିଁ କାହିଁକି? ଅନ୍ୟପଟରେ କିଛି ସାହିତ୍ୟିକ ସାମାଜିକ ଚଳଣିରେ ପରିବର୍ତନକୁ ଖାପଖୁଆଇ ନେଉଥିବା ବେଳେ ଏଭଳି ରକ୍ଷଣଶୀଳ ହେବା କେତେ ଦୂର ଠିକ? ତେବେ ମୂଳ ପୁସ୍ତକରେ ପରିବର୍ତ୍ତନ ଅଣାଗଲା ବେଳେ ଏହା କେବଳ ପାଦଟୀକାରେ ସଂପାଦିତ ଅଂଶ ଭାବେ ଦିଆଯାଇପାରିଥାନ୍ତା ବୋଲି ମତ ଦେଇଛନ୍ତି ଭାଷାବିତ୍ ତଥା ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ଡ. କୈଳାସ ଚନ୍ଦ୍ର ଟିକାୟତରାୟ । ପୁରୁଣା ମଧୁବର୍ଣ୍ଣବୋଧରୁ ନବେ ଭାଗ ରଖି ତାକୁ ବିକୃତ କରିବା ଠିକ୍ ହୋଇନାହିଁ ବୋଲି କହିଛନ୍ତି ଡ. ଟିକାୟତରାୟ । ଅନ୍ୟପଟରେ ପ୍ରଖ୍ୟାତ୍ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ କହିଛନ୍ତି- ସେ ନୂଆ ବର୍ଣ୍ଣବୋଧ ପଢ଼ିନାହାନ୍ତି । ତେବେ ଓଡ଼ିଆ ଭାଷାରେ ଆଉ ଦୁଇଟି “ଜ/ଯ’’ ଉଚ୍ଚାରଣ ହେଉନାହିଁ । ତିନିଟି “ସ’’ ଉଚ୍ଚାରଣ ହେଉନାହିଁ । ସମୟକ୍ରମରେ ଓଡ଼ିଆ ଭାଷାର ଲିପିରେ ବି ପରିବର୍ତ୍ତନ ଆସିଛି । ତେଣୁ ଏହି ପରିବର୍ତ୍ତନକୁ ଅଟକାଇବା ମୁର୍ଖାମୀ ହେବ ।

ସେ ଯାହାହେଉ, ଛବିଳ ମଧୁ ବର୍ଣ୍ଣବୋଧକୁ କଂପ୍ୟୁଟର ଉପଯୋଗୀ କରିବା ପାଇଁ ଭାଷା ପ୍ରତିଷ୍ଠାନ ନିଶ୍ଚିତ ଭାବେ ପଦକ୍ଷେପ ନେବ ବୋଲି କହିଛି । ଅନ୍ୟପଟରେ ବିଚାରପ୍ରକ୍ରିୟା ଭିତରେ ଓଡ଼ିଆ ଭାଷା ଶିକ୍ଷାର ପ୍ରାଥମିକ ପୁସ୍ତକ- ବର୍ଣ୍ଣବୋଧର ଭାଗ୍ୟ ଝୁଲିରହିଛି ।