ଖରା କରୁଛି କଲବଲ : ଆଜିଠୁ ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା; ୨୦ଟି ଜିଲ୍ଲାରେ ହିଟ୍‌-ୱେଭ୍‌ ୱାର୍ଣ୍ଣିଂ ଜାରି 

Advertisment
ଅସହ୍ୟ କରି ପକାଉଛି ପ୍ରଚଣ୍ଡ ଖରା : ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡ଼ିଶା

କନକ ବ୍ୟୁରୋ: ଆଜିଠୁ ରାଜ୍ୟର ୩ ଦିନ ଯାଏଁ ପ୍ରବଳ ଗ୍ରୀଷ୍ମପ୍ରବାହ ସମ୍ଭାବନା ରହିଛି । ଗ୍ରୀଷ୍ମପ୍ରବାହକୁ ନଜରରେ ରଖି , ୨୦ଟି ଜିଲ୍ଲା ପାଇଁ ହିଟ୍‌-ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ସତର୍କ କରି କହିଛି,  ସୁନ୍ଦରଗଡ, ଝାରୁସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଭଳି ଜିଲ୍ଲାଗୁଡିକରେ  ପ୍ରବଳ ଖରା ହେବ ।

ମୁଖ୍ୟତଃ ପଶ୍ଚିମ ଦିଗରୁ ବାୟୁମଣ୍ଡଳର ତଳଭାଗରେ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ  ଓ ସ୍ଥାନୀୟ ଗରମ ପ୍ରଭାବରୁ ତାତି ବଢିବ । ଅନ୍ୟପଟେ ଗତକାଲିର ବିଶ୍ୱର ସବୁଠାରୁ ଉତପ୍ତ ସହର ପାଲଟିଥିଲା ବାରିପଦା ସହର । ୪୪ ଦଶମିକ ୬ ଡିଗ୍ରୀ ସେଲସିୟସରେ ପହଁଚିଥିଲା ତାପମାତ୍ରା । ପାଣିପାଗ ସଂସ୍ଥା ଓଜିଆଇମେଟ୍ ଡଟ କମ୍ ସୂଚନା ଆଧାରରେ ଏହି ତଥ୍ୟ ସାମନାକୁ ଆସିଥିଲା ।

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଓଡ଼ିଶାରେ ଲଘୁଚାପଜନିତ ବର୍ଷାର ସମ୍ଭାବନା ନାହିଁ। ସାରା ରାଜ୍ୟକୁ ରାଜସ୍ଥାନରୁ ଗରମ ପବନ ସିଧା ବହୁଛି । ରାଜସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଛି । ଏହା ଓଡ଼ିଶାକୁ ପ୍ରବାହିତ ହେବା ସମୟରେ ବା‌ଟରେ ଉତ୍ତାପ ଗ୍ରହଣ କରିବା ଯୋଗୁଁ ଅଧିକ ଉତ୍ତପ୍ତ ହେଉଛି । ଉପକୂଳର କୂଳେକୂଳେ ବହୁଥିବା ବଙ୍ଗୋପସାଗରୀୟ ପବନ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ମୁହାଁଇବାରୁ ସାମୁଦ୍ରିକ ପବନ ରାଜ୍ୟକୁ ଆସିପାରୁନାହିଁ । ଫଳରେ ସମଗ୍ର ଉପକୂଳ ମଧ୍ୟ ଉତ୍ତପ୍ତ ହୋଇଯାଇଛି। ଓଡ଼ିଶା ସମେତ ଛତିଶଗଡ଼, ଆନ୍ଧ୍ର ଉପକୂଳ, ତେଲେଙ୍ଗାନା ଓ ଦକ୍ଷିଣ ପଶ୍ଚିମ ବାଂଲାଦେଶର ସବୁଠାରୁ ଉତ୍ତପ୍ତ ଭୂଖଣ୍ଡରେ ପରିଣତ ହୋଇଛି ।

ଆକଳନ କରାଯାଉଛି ଯେ ଏପ୍ରିଲ ପହିଲା ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରିରୁ ଅଧିକ ରହିବ, କିଛି କିଛି ସ୍ଥାନରେ ତାପମାତ୍ରା ୪୪ ଡିଗ୍ରି ବି ଅତିକ୍ରମ କରିପାରେ। ଭୁବନେଶ୍ବରର ତାପମାତ୍ରା ୪୩ ଡିଗ୍ରି ସ୍ପର୍ଶ କରିପାରେ। ତେବେ ଏପ୍ରିଲ ୨ରେ ପାରଦ କମିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୪ ତାରିଖ ଭିତରେ ପଶ୍ଚିମା ଗରମ ପବନ ସିଧା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେତୁ ତାପମାତ୍ରା ସାମୟିକ ଭାବେ ୨ ଡିଗ୍ରି କମିପାରେ। ୫ ତାରିଖରୁ ପୁଣି ବଢ଼ିବ ଏବଂ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବନାହିଁ। ଏହି ସମୟରେ କାଳବୈଶାଖୀର ସମ୍ଭାବନା ବି ଖୁବ୍‌ କମ୍‌ ରହିଛି। ତେବେ ଉପକୂଳ ଓଡ଼ିଶାରେ ୨ରୁ ୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବିଶେଷ ଭାବେ କମିପାରେ। ହୁଏତ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe