ପୁଣି ବିବାଦ ଘେରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ।  ୩ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରକୁ ସମନ୍

125

କନକ ବ୍ୟୁରୋ: ପୁଣି ବିବାଦ ଘେରରେ ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ।  ବିଭାଗୀୟ ଅଧିକାରୀଙ୍କୁ ଅଡୁଆରେ ପକାଇଛି ଜିଏସଟି ଠକେଇ । ୩ ବର୍ଷରେ ଲକ୍ଷ ଲକ୍ଷ ଟଙ୍କାର ଜିଏସଟି ଠକେଇ କରିଥିବା ନେଇ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରକୁ ସମନ୍ କରି ହିସାବ ମାଗିଛି ଜିଏସଟି ଏନଫୋର୍ସମେଂଟ୍ ବିଭାଗ । ଫଲ୍ସ ଭାଉଚର୍ ଦେଇ ପ୍ରାୟ ୪ କୋଟିରୁ ଅଧିକ ଟଙ୍କାର କାର୍ଯ୍ୟ ଉପରେ ଜିଏସଟି ହେରଫେର ହୋଇଥିବା ଅଭିଯୋଗ ହୋଇଛି ।

ଏନେଇ ନୋଟିସ୍ ଆସିବା ପରେ ଅଡୁଆରେ ପଡିଛନ୍ତି ବାରିପଦା ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥାର ଅଧିକାରୀ । ୨୦୧୭ ଜୁଲାଇ ୧ ରୁ ୨୦୨୦ ଅଗଷ୍ଟ ୫ ଭିତରେ ଆଇଟିଡିଏ ଜରିଆରେ ହୋଇଥିବା ସମସ୍ତ ଉନ୍ନତିମୂଳକ କାମର ସବିଶେଷ ତଥ୍ୟ ମାଗିଛନ୍ତି ବାରିପଦା ସିଟି ଏବଂ ଜିଏସଟି ଏନଫୋର୍ସମେଂଟ୍ ବିଭାଗ । ଏହି ୩ ବର୍ଷରେ ଧାର୍ଯ୍ୟ ମୂଲ୍ୟର କାର୍ଯ୍ୟ ଗୁଡିକୁ ନେଇ ଦାଖଲ ହୋଇଥିବା ଜିଏସଟି ଏବଂ କଟାଯାଇଥିବା ଟିଡିଏସ୍ ତଥ୍ୟ ଦାଖଲ ପାଇଁ ନିର୍ଦେଶ ଆସିବା ପରେ ଯନ୍ତ୍ରୀ, ଅଧିକାରୀ ଓ ଠିକାଦାରଙ୍କ ଅକଲ ଗୁଡମ୍ ହୋଇଛି ।

ମିଛ ଭାଉଚ୍ର ଛାପି ଆଦିବାସୀଙ୍କ କଲ୍ୟାଣ ପାଇଁ ଆସିଥିବା ଅର୍ଥରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିଏସଟି ଠକେଇ ହୋଇଥିବା ଅଭିଯୋଗ ଆସିବା ପରେ ଆଇଟିଡିଏର ୭ ଜଣ ଯନ୍ତ୍ରୀଙ୍କ ସମେତ ଠିକାଦାର ଏବଂ ବିଭିନ୍ନ କାର୍ଯ୍ୟରେ ସାମଗ୍ରୀ ଯୋଗାଇଥିବା କିଛି ସଂସ୍ଥାକୁ ସମନ ଜାରି କରାଯାଇଛି । ଜିଏସଟି ବିଭାଗର ଅଧିକାରୀମାନେ ଆଇଟିଡିଏ କାର୍ଯ୍ୟଳୟରେ ଛାନଭିନ୍ ଜାରି ରଖିଥିବା ସିଟି ଜିଏସଟି ଅଧିକାରୀ କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନିନ୍ଦା କରିବା ସହ ଏଥିପାଇଁ ବିଭାଗିୟ ଅଧିକାରୀ, ସପ୍ଲାୟର ଓ ଠିକାଦାର, ସମାନ ଭାବରେ ଦାୟୀ ବୋଲି କହିଛନ୍ତି ଚାର୍ଟାଡ୍ ଆକାଉଁଟାଂଟ ଅଭିଜିତ୍ ରାମ୍ ।