କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଛି । ୪୪.୬ ଡିଗ୍ରୀ ସହ ଉତପ୍ତ ସହର ହୋଇଛି ବାରିପଦା । ୩୦ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ନୂଆପଡାରେ ତାପମାତ୍ରା ୪୪ ଡିଗ୍ରୀ, ତାଳଚେରରେ ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ତାଳଚେର, ଝାରୁସୁଗୁଡା, କେନ୍ଦୁଝର, ଅନୁଗୁଳ, ବଲାଙ୍ଗିର, ସୁନ୍ଦରଗଡ ଓ ବୌଦ୍ଧରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଛି । ଆସନ୍ତାକାଲି ମଧ୍ୟ ହିଟ୍ ୱେଭ ସ୍ଥିତି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ୧୪ଟି ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୮ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଂଟା ମଧ୍ୟରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ତେଣୁ କିଛି ଅଂଚଳରେ ତାତିରୁ ସାମୟିକ ଭାବେ ଆଶ୍ୱସ୍ତି ମିଳିପାରେ । ବିଶେଷ କରି ଉତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଘଡ଼ଘଡ଼ି ସହ ବର୍ଷା ହେବା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତା ୩ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇପାରେ । ଗ୍ରୀଷ୍ମ ପ୍ରବାହ ହ୍ରାସ ପାଇଲେ ବି ଉଷ୍ମ-ଆର୍ଦ୍ର ସ୍ଥିତି ଲାଗିରହିବ । ଫଳରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ଏହାପରେ ଅର୍ଥାତ ୨୫ ତାରିଖରୁ ପୁଣି ତାତି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।