ଜମି ବିବାଦରୁ ୨୪ ଘଣ୍ଟା ପଡ଼ିରହିଲା ମୃତଦେହ । ରାତି ସାରା ଉତ୍ତେଜନା ପରେ ଶେଷରେ ହାଟ ମଝିରେ ହେଲା ଶବ ସତ୍କାର ।

81

କନକ ବ୍ୟୁରୋ : ଜମି ବିବାଦକୁ କେନ୍ଦ୍ର କରି ୨୪ ଘଂଟା ପଡ଼ି ରହିଲା ଶବ । ଶେଷରେ ପୋଲିସ ଫୋର୍ସ ଉପସ୍ଥିତିରେ ହାଟ ମଝିରେ ବୃଦ୍ଧାଙ୍କ ହେଲା ଶବ ସତ୍କାର । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଓଷାଡଲା ଗାଁ । ସୂଚନା ଅନୁସାରେ ହେଜେଲ ନାୟକ ଗଙ୍ଗା ନାୟକଙ୍କୁ ପ୍ରଥମେ ବିବାହ କରିିଥିଲେ । ଗଙ୍ଗା ନାୟକଙ୍କ ମୃତ୍ୟୁ ପରେ ହେଜେଲ ପୁଣି ଥରେ ଛଟରାୟ ନାୟକଙ୍କୁ ବିବାହ କରିଥିଲେ । ଏକ ଇନ୍ଦ୍ରାବାସ ଘରେ ଏହି ଦମ୍ପତି ରହୁଥିଲେ । ଦ୍ୱିତୀୟ ସ୍ୱାମୀଙ୍କ ମୃତ୍ୟୁ ପରେ ହେଜେଲ ସେହି ଘରେ ଏକା ରହୁଥିଲେ ।

ଗତକାଲି ରାତିରେ ହେଜେଲଙ୍କ ମୃତ୍ୟୁ ହୋଇଥିଲା । ଗାଁ ଲୋକଙ୍କ ସହାୟତାରେ ହେଜେଲ ରହୁଥିବା ଘର ପାଖରେ ଶବ ସତ୍କାର କରିବାକୁ ଯୋଜନା କରିଥିଲେ ଗାଁ ଲୋକ । ଗାତ ଖୋଳା ଚାଲିଥିବା ବେଳେ ସେହି ଗାଁର ନାରାୟଣ ମାଣ୍ଡି ଏହାକୁ ବିରୋଧ କରିଥିଲେ । ହେଜେଲ ରହୁଥିବା ସ୍ଥାନ ତାଙ୍କ ପୈତୃକ ଜମି ବୋଲି କହି ଶବ ସତ୍କାରକୁ ବିରୋଧ କରିଥିଲେ । ରାତି ତମାମ ଉତ୍ତେଜନା ଦେଖା ଦେଇଥିଲା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ନାରାୟଣ ମାଣ୍ଡିଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେ ରାଜି ହୋଇନଥିଲେ । ଶେଷରେ ଗାଁ ମଝିରେ ଥିବା ହେଜେଲଙ୍କ ପ୍ରଥମ ସ୍ୱାମୀ ଗଙ୍ଗା ନାୟକଙ୍କ ଜମିରେ ଶବ ସତ୍କାର ପାଇଁ ନିଷ୍ପତି ହୋଇଥିଲା । ମୃତଦେହ ପୋତିବାକୁ ନେଇ ପୁଣି ଥରେ ବିରୋଧ ହୋଇଥିଲା । ହାଟ ବସୁଥିବାରୁ କିଛି ଲୋକ ରାଜି ହୋଇନଥିଲେ । ଶେଷରେ ପୁଲିସ ଉପସ୍ଥିତିରେ ଶବସତ୍କାର କରାଯାଇଥିଲା ।