ବାରିପଦା କୋଭିଡ ହସ୍ପିଟାଲରେ ଆକ୍ରାନ୍ତଙ୍କୁ ଅବହେଳାର ଆସିଲା ସାଂଘାତିକ ଭିଡିଓ : ରୋଗୀ ଉଲଗ୍ନ ହୋଇ ଏଣେତେଣେ ପଡ଼ିଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ

358

କନକ ବ୍ୟୁରୋ : କୋଭିଡ୍ ହସ୍ପିଟାଲର ବିଭତ୍ସ ଦୃଶ୍ୟ । ବାରିପଦା କୋଭିଡ ହସ୍ପିଟାଲ ଭିତରରେ ବିକଳ ଆଉ ହୃଦୟଥରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଓ ଭିଡିଓ ଯଦି ସତ ହୋଇଥାଏ, ତେବେ ସ୍ଥିତି ସାଙ୍ଘାତିକ । ଅସହାୟ ଅବସ୍ଥାରେ ଉଲଗ୍ନ ହୋଇ ରୋଗୀ ଏଣେତେଣ ପଡିଛନ୍ତି । କିଏ ଶୌଚାଳୟ ପାଖରେ ପଡିଛନ୍ତି ତ ଆଉ କିଏ ଅତି ଦୟନୀୟ ଅବସ୍ଥାରେ ବେଡ ତଳେ ପଡିଛନ୍ତି । କାହା ମୁହଁରୁ ଅକ୍ସିଜେନ୍ ବାହାରି ଯାଇଛି, ଯେ ତାକୁ ଲଗେଇବା ପାଇଁ କେହି ନାହାନ୍ତି ।

ଏ ବିଭତ୍ସ ଚିତ୍ର, ବାରିପଦା ବାଙ୍କିଷୋଳରେ ଥିବା କିମ୍ସ କୋଭିଡ ହସ୍ପିଟାଲର । କୁହାଯାଉଛି, ଜଣେ ବ୍ୟକ୍ତି ତାଙ୍କ ବାପାଙ୍କୁ ଏହି ହସ୍ପିଟାଲରେ ଭର୍ତି କରିବା ପାଇଁ ନେଇଥିବା ବେଳେ ଏସବୁ ଫଟୋ ଓ ଭିଡିଓ ଉତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏ ସବୁ ଫଟୋ ଭିଡିଓ ଦେଖିବା ପରେ ଏହି ହସ୍ପିଟାଲ ଉପରୁ ଲୋକଙ୍କ ଭରସା ତୁଟି ଯାଉଛି । ସାରା ଜିଲ୍ଲାରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହି ଭିଡିଓ ଓ ଫଟୋର ସତ୍ୟତାକୁ ନେଇ ହସ୍ପିଟାଲର କୌଣସି ଅଧିକାରୀ ମୁହଁ ଖୋଲି ନଥିବା ବେଳେ ଏସବୁ ସତ ବୋଲି ଦାବି କରିଛନ୍ତି ଭଂଜସେନା କାର୍ଯ୍ୟକାରୀ ଉପାଧ୍ୟକ୍ଷ ରାକେଶ ସିଂ ।

ବାରିପଦା କିମ୍ସ ହସ୍ପିଟାଲରେ ରୋଗୀ ସେବା ନାଁରେ କେବଳ ସରକାରୀ ଅର୍ଥ ହରିଲୁଟ୍ କରାଯାଉଥିବା ବେଳେ ରୋଗୀଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହାର ତଦନ୍ତ କରି ସଂପୃକ୍ତ କୋଭିଡ ହସ୍ପିଟାଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ଏ ସବୁ ଫଟୋ ଓ ଭିଡିଓର ସତ୍ୟାସତ ନେଇ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।