ଦ୍ୱନ୍ଦ ବଢ଼ାଉଛି ବାରିପଦା ! ଛିଣ୍ଡୁନି ବିଜେଡି ଅଙ୍କ, ଥଳକୂଳ ପାଉନି ବିଜେପି, କଂଗ୍ରେସ-ଜେଏମଏମ ମେଣ୍ଟ ହେଲେ ବଦଳିଯିବ କି ସମୀକରଣ ?

307

କନକ ବ୍ୟୁରୋ: କାହା ସପକ୍ଷରେ ଯିବ ବାରିପଦା ବିଧାନସଭା କ୍ଷେତ୍ରର ଗଣିତ । ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଜିଲ୍ଲାର ସଦରମହକୁମାରେ ଅବସ୍ଥିତ ବାରିପଦା ସଂରକ୍ଷିତ ନିର୍ବାଚନମଣ୍ଡଳୀ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ବ ବହନ କରୁଛି । ଏଠିକାର ଫଳାଫଳ ସମ୍ପୂର୍ଣ୍ଣ ଜିଲ୍ଲାକୁ ପ୍ରଭାବିତ କରିଥାଏ ବୋଲି କୁହାଯାଏ । ତେବେ ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖିଲେ ଏହି ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଗୋଳିଆ ଧରିଛି । ଜିଲ୍ଲାରେ ସକ୍ରିୟ ୪ ପ୍ରମୁଖ ରାଜନୈତିକ ଦଳର ଟିକେଟ୍ ବଣ୍ଟନ ଉପରେ ନଜର ରହିଛି ।

ଏପ୍ରିଲ ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ମୟୁରଭଞ୍ଜ ଜିଲ୍ଲା ସଂସଦୀୟ କ୍ଷେତ୍ରର ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀ । ଯାହାକୁ ନେଇ ଏଠାରେ ଏବେ ରାଜନୈତିକ ଛକାପଞ୍ଝା ଦେଖିବାକୁ ମିଳିଛି । ଉଭୟ ବିଜେଡି ଓ ବିଜେପି ଏହି ଆସନକୁ ନିଜ ଦଖଲକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ ଜେଏମଏମ ମଧ୍ୟ ବଳକଷୁଥିବା ଦେଖିବାକୁ ମିଳୁଛି ।

ଗତ ୨୦୧୪ ସାଧାରଣ ନିର୍ବାଚନରେ ଏଠିକାର ବିଧାୟକ ତଥା ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ୧୭ ହଜାରରୁ ଉଦ୍ଧ୍ୱର୍ ଭୋଟରେ ବିଜୟ ହୋଇ କ୍ରମାଗତ ଦ୍ୱିତୀୟଥର ବିଧାୟକ ହୋଇଥିଲେ । ଚଳିତ ଥର ମଧ୍ୟ ବିଜେଡ଼ିରୁ ଟିକେଟ୍ ପାଇ ହାଟ୍ରିକ୍ କରିବା ଲକ୍ଷ୍ୟରେ ଅଛନ୍ତି ସାନନ୍ଦ। କିନ୍ତୁ ଚଳିତଥର ସାନନ୍ଦଙ୍କ ପାଇଁ ରାସ୍ତା ସୁଗମ ହୋଇ ରହିନାହିଁ । ଉଭୟ ବାରିପଦା ଏବଂ ଖୁଣ୍ଟା ବ୍ଲକରେ ଦଳୀୟ ଗୋଷ୍ଠୀକନ୍ଦଳ ତୀବ୍ର ରୂପ ଧାରଣ କରିଛି । ମାତ୍ର ଏବେବି ବିଜେଡ଼ି ସଂଗଠନ ଅନୁଭବୀ ନେତା ସାନନ୍ଦଙ୍କ ଉପରେ ଦଳ ନିର୍ଭରଶୀଳ । କାରଣ ଛାତ୍ର ଓ ଯୁବ ସଂଗଠନ ମଧ୍ୟ ତାଙ୍କ ସପକ୍ଷରେ ରହିଛି । ଯାହାକି ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ବିଜେଡ଼ିକୁ ଦ୍ୱନ୍ଦରେ ପାକଇଛି ।

ବିଜେଡି ଯଦି ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରେ ତେବେ ଅନ୍ୟ ଦଳରୁ ନେତା ଆମଦାନୀ ଉପରେ ନିର୍ଭର କରିବ । ଜିଲ୍ଲାରେ ଅନ୍ୟତମ ଟାଣୁଆ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍ ମଧ୍ୟ ବାରିପଦା ଆସନ ପାଇଁ ବେଶ୍ ଆଶାୟୀ ଥିବା ଜଣାପଡ଼ିଛି । ଯଦିଓ ସରୋଜିନୀଙ୍କର ମଧ୍ୟ ବାରିପଦା ନିର୍ବାଚନମଣ୍ଡଳୀରେ ସଂଗଠନ ରହିଛି ମାତ୍ର ଦଳ ତାଙ୍କୁ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀରେ ଦଳ ଉପଯୋଗ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି । ନିର୍ବାଚନମଣ୍ଡଳୀରେ ଥିବା ବିଭିନ୍ନ ଜାତି ଭୋଟ ମଧ୍ୟ ବେଶ୍ ଗୁରୁତ୍ବ ରଖୁଛି । ବିଜେଡ଼ିରେ ରହିଥିବା ଗୋଷ୍ଠୀକନ୍ଦଳ, ବିଧାୟକଙ୍କର ଲୋକପ୍ରିୟତା ହ୍ରାସ ଏବଂ ପଞ୍ଚାୟତ ନିର୍ବାଚନରେ ଦଳର ସଫଳତାକୁ ଦେଖି ବିଜେପି ବାରିପଦା ଦଖଲ ନେଇ ଉତ୍ସାହିତ ଅଛି। ଦଳ ପକ୍ଷରୁ ଏଠାରୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରକାଶ ସୋରେନ ପ୍ରାର୍ଥୀ ନିମନ୍ତେ ଆଗୁଆ ଅଛନ୍ତି। ସେହିପରି ନାରୀନ୍ରେତୀ ସୁମନ ସିଂ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ମଧ୍ୟ ପ୍ରାର୍ଥୀ ଦୌଡ଼ରେ ଅଛନ୍ତି ।

ବିଜେଡ଼ିକୁ ଟକ୍କର ଦେବାକୁ ବିଜେପି ଏଠାରେ ପୂର୍ଣ୍ଣ ପ୍ରୟାସ କରୁଛି। ମାତ୍ର ପ୍ରକାଶଙ୍କୁ ଆଗରେ ରଖି ଦଳ ସେପରି ଆଖିଦୃଶିଆ ମୁକାବିଲା କରିବାରେ ଏଯାବତ୍ ସଫଳ ହୋଇପାରିନି। ଓଲଟି ପ୍ରକାଶ ସୋରେନ ବିଜେଡ଼ିକୁ ଯିବାନେଇ ହେଉଥିବା ଚର୍ଚ୍ଚା ବିଜେପିକୁ ବ୍ୟାକ୍ଫୁଟକୁ ଠେଲିଦେଇଛି । ସେହିପରି ଗତଥର କଂଗ୍ରେସରୁ ନିର୍ବାଚନ ଲଢ଼ିଥିବା ପ୍ରିୟବ୍ରତ ମାଝୀ ମଧ୍ୟ ବର୍ତ୍ତମାନ ବିଜେପିରେ। ତେଣୁ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରୁଛି ତାହା ଦେଖିବାକୁ ବାକି ରହିଲା ।

ପୂର୍ବ ନିର୍ବାଚନରେ ଜେଏମଏମ କଂଗ୍ରେସ ଏଠାରେ ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ । ମାତ୍ର ଚଳିତ ନିର୍ବାଚନରେ ଉଭୟ ଦଳ ମେଣ୍ଟ କରି ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି ସ୍ପଷ୍ଟ ସଂକେତ ମିଳିପାରି ନାହିଁ । ମେଣ୍ଟ ହେଲେ ଏହି ଆସନ କଂଗ୍ରେସ ଭାଗରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଯୁବନେତା ରାକେଶ ସିଂ, କମଳା ତିରିଆ ପ୍ରମୁଖ ଟିକେଟ୍ ଦୌଡ଼ରେ ଅଛନ୍ତି । ୨୦୧୪ରେ ଜେଏମଏମରୁ ପ୍ରାର୍ଥୀ ହୋଇଥିବା ଜିଲ୍ଲା ସଭାପତି ଫାଗୁ ହାଁସଦା ଚଳିତ ବର୍ଷ ମଧ୍ୟ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି । କ୍ଷମତା ହାସଲ କରିବାକୁ ବିଜେଡ଼ି କିମ୍ବା ବିଜେପିର କିଛି ନେତା ଦଳବଦଳ କଲେ ସମୀକରଣ ଓଲଟା ହୋଇପାରେ ବୋଲି ମତପ୍ରକାଶ ପାଇଛି।