ବରୀ : କାହା ଉପରେ କିଏ ପଡିବ ଭାରି? ଦେବାଶିଷଙ୍କ ଦୁର୍ଗ ଭାଙ୍ଗିବାକୁ ବିରୋଧୀଙ୍କ ରଣହୁଙ୍କାର, ଦୁର୍ଗ ରକ୍ଷା କରିବାର ଦାୟିତ୍ୱ କାହା ହାତରେ ଦେବେ ଦଳପତି ।

Advertisment
ବରୀ : କାହା ଉପରେ କିଏ ପଡିବ ଭାରି? ଦେବାଶିଷଙ୍କ ଦୁର୍ଗ ଭାଙ୍ଗିବାକୁ ବିରୋଧୀଙ୍କ ରଣହୁଙ୍କାର, ଦୁର୍ଗ ରକ୍ଷା କରିବାର ଦାୟିତ୍ୱ କାହା ହାତରେ ଦେବେ ଦଳପତି ।

କନକ ବ୍ୟୁରୋ : ବରୀରେ କାହା ଉପରେ କିଏ ପଡିବ ଭାରି । ଏକଥା ଏଥିପାଇଁ କୁହାଯାଉଛି କାରଣ ବରୀ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟଛି । ଭୋଟର ଏଥର କାହା ଉପରେ ଭରସା କରିବେ ତାହା କହିବା ମୁସ୍କିଲ । ପାଖାପାଖି ଦୁଇ ଦଶନ୍ଧି ଧରି ବରୀ ନିର୍ବାଚନମଣ୍ଡଳୀରେ ବିଜୟ ସହ ଦେବାଶିଷ ଏହାକୁ ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ କରିଥିବା ବେଳେ ଏବେ ଏଥିରେ ଅନ୍ତଃକନ୍ଦଳ ରୂପକ ଫାଟ ସୃଷ୍ଟି ହୋଇଛି । ଦୀର୍ଘ ୧୯ ବର୍ଷ ଧରି ବରୀକୁ ହସ୍ତମୁଦି କରି ରଖିଥିବା ଦେବାଶିଷଙ୍କ ପାଇଁ ୧୯ ନିର୍ବାଚନ ଅଗ୍ନିପରୀକ୍ଷା ସଦୃଶ ହେବାକୁ ଯାଉଛି । କାରଣ ଗୋଟିଏ ପଟେ ବିରୋଧୀ ବିଜେଡିର ଏହି ଅଭେଦ୍ୟ ଦୁର୍ଗରେ ଏଣ୍ଟ୍ରି କରିବାକୁ ରଣହୁଙ୍କାର ଦେଇସାରିଥିବା ବେଳେ ଗଡ ମଧ୍ୟରେ ମଧ୍ୟ ଦେବାଶିଷଙ୍କ ବିଦ୍ରୋହ ଆରମ୍ଭ ହୋଇଛି । ଖାସକରି ଦଳପତି ନବୀନଙ୍କ ମହିଳା କାର୍ଡ ଓ ଅନ୍ତଃକନ୍ଦଳ ଦେବାଶିଷଙ୍କ ଆଖିରୁ ନିଦ ହଜାଇ ଦେଇଛି ।

ଯାଜପୁର ଜିଲ୍ଲାର ମୋଟ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ବରୀ ରାଜନୀତି ବେଶ ରୋଚକ ସ୍ଥିତିରେ ରହିଛି । ୨୦୦୦ ମସିହାରୁ ଲଗାତାର ୪ ଥର ବିଜେଡିର ବିଜୟ ବାନା ଉଡାଇ ଆସୁଥିବା ଦେବାଶିଷ ଏଥର ଟିକେଟ ଦୌଡରେ ବ୍ୟାକଫୁଟରେ ରହିଛନ୍ତି । ବିରୋଧୀ ଦଳର ପ୍ରତିଦ୍ବନ୍ଦ୍ବୀଙ୍କ ଅପେକ୍ଷା ନିଜ ଦଳ ବିଜେଡିର କେତେକ ନେତାଙ୍କ ପାଇଁ ଦେବାଶିଷଙ୍କ ଶିବିର ଅଧିକ ଭୟଭୀତ। ଗତ ୨୦୧୪ ନିର୍ବାଚନରେ ଦେବାଶିଷଙ୍କୁ ତାଙ୍କ ଭାଗ୍ୟ ସାଥ ଦେଇଥିଲା। କିନ୍ତୁ ଏଥର ଦେବାଶିଷଙ୍କ ବିରୋଧରେ ଦଳ ମଧ୍ୟରେ ବଡ ଧରଣର ବିଦ୍ରୋହ ଆରମ୍ଭ ହୋଇଛି ।

ଏଥର ବରୀ ରାଜନୀତିରେ ବହୁ ପରିବର୍ତ୍ତନ ହୋଇଛି। ଦେବାଶିଷଙ୍କ ଅତ୍ୟନ୍ତ ଘନିଷ୍ଠ ବରୀ ବିଜେଡ଼ି ସଭାପତି ସେକ୍ ସଫିକ୍ ଉଦ୍ଧିନ୍(ଟାଲି)ଙ୍କର ଏକ ଚାଟିଆ କାରବାର ପାଇଁ ତାଙ୍କ ଭାଡ଼ି ଖାଲି ହେବାରେ ଲାଗିଛି। ବହୁ ପୁରୁଖା ସଂଗଠକ ଓ କର୍ମକର୍ତ୍ତା ଦେବାଶିଷଙ୍କ ଶିବିର ଛାଡ଼ିଛନ୍ତି। ଗତ ୨୦୧୪ନିର୍ବାଚନରେ ଟାଲିଙ୍କୁ ନେଇ ବିଦ୍ରୋହ ତୀବ୍ର ହେବାରୁ ଦେବାଶିଷ ତାଙ୍କୁ ପଛକୁ ଠେଲି ଦେଇ ଶେଷ ମୂହୁର୍ତ୍ତରେ ନିଜ ବଡ଼ଭାଇ ଦେବେନ୍ଦ୍ର ନାୟକଙ୍କ ଦ୍ବାରା ନିର୍ବାଚନ ପରିଚାଳନା କରିଥିଲେ। ଆଉ ନିର୍ବାଚନରେ ଜିତିବା ପରେ ପୁଣି ଟାଲି ଅଖଣ୍ଡ କ୍ଷମତାର ଅଧିକାରୀ ହୋଇଗଲେ। ଯାହା ଦେବାଶିଷଙ୍କ ପାଇଁ ଏବେ ବୁମେରାଂ ହେବାକୁ ଯାଉଛି ।

publive-imageଏହାଛଡା ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମହିଳା ରହିଥିବାରୁ ଦୁଇ ରାଜ୍ୟସ୍ତରୀୟ ନେତା ତଥା ଦଳୀୟ ମୁଖପାତ୍ର ସୁଲତା ଦେଓ ଓ ସୁଲୋଚନା ଦାସଙ୍କ ମଧ୍ୟରୁ ଜଣକୁ ବରୀ ମୈଦାନରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେଡ଼ି ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କ ବରୀ ପ୍ରତି ଆକର୍ଷଣ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଭୟ ସଂଚାର କରିଛି। ବିଜୟ ମଧ୍ୟ ଟିକେଟ ରେସରେ ଆଗରେ ଥିବା ଚର୍ଚ୍ଚା ହେଉଛି ।

ଅପରପକ୍ଷରେ ପୁରୁଖା ନେତା ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସରୁ ବହିଷ୍କାର କରିବା ପରେ ବରୀରେ ଯୁବ ନେତା ଉମେଶ ଜେନାଙ୍କ ଦବଦବା ପୂର୍ବାପେକ୍ଷା ବଢିଛି। ଖାସକରି ନିରଞ୍ଜନ ରାଜ୍ୟ କଂଗ୍ରେସର କମାଣ୍ଡର ହେବା ପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଜୋଶ ଭରିଛି । ଯାହାକୁ ପାଥେୟ କରି ଦଳ ଆଗାମୀ ନିର୍ବାଚନକୁ ଓହ୍ଲାଇବ । କଂଗ୍ରେସ ଶିବିର ଶକ୍ତିଶାଳୀ ହେବା ଘଟଣା ମଧ୍ୟ ଉଭୟ ଦେବାଶିଷ ଓ ବିଜେପିକୁ ଯାଇଥିବା ବିଶ୍ବରଂଜନ ମଲ୍ଲିକଙ୍କ ଶିବିର ପାଇଁ ଚିନ୍ତାର କାରଣ ହୋଇଛି।

ବିଜେପି ଯୁବ ନେତା ବିଶ୍ବଙ୍କ ଟିମ୍ ଏଥିମଧ୍ୟରେ ବରୀ ପଞ୍ଚାୟତ ସମିତି ଦଖଲ କରିବା ସହିତ ବିଜେପିରେ ସାମିଲ ହୋଇଛନ୍ତି। ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଶ୍ୱ ବିଜେଡିକୁ କଡା ଟକ୍କର ଦେଇଥିଲେ । ତେବେ ଏହା ଭିତରେ ବିଶ୍ୱ ଗେରୁଆ କ୍ୟାମ୍ପରେ ଏଣ୍ଟ୍ରି ମାରି ସାରିଥିବାବେଳେ ଚଳିତ ନିର୍ବାଚନରେ ବିଜେପି ଟିକେଟରେ ଦେବାଶିଷଙ୍କ ଦୁର୍ଗ ଭାଙ୍ଗିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ବିଶ୍ୱଙ୍କୁ ବିଜେପି ଏକରକମ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଅନ୍ୟତମ ଆଶାୟୀ ବିଜେପି ପୂର୍ବତନ ଜିଲ୍ଲା ସଭାପତି ତଥା ଓବିସି ସେଲର ରାଜ୍ୟ ଉପସଭାପତି ଆଶୁତୋଷ ପରିଡ଼ା ଓ ତାଙ୍କ ସମର୍ଥକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯାହା ନିର୍ବାଚନରେ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।

ଏସବୁ ଭିତରେ ବିଜୁ ଅମଳର ନେତା ଦେବାଶିଷଙ୍କୁ ବିଜେଡି ଟିକେଟ ଦେଉଛି ନା ବିଜେଡିର ଏହି ଗଡ ରକ୍ଷା ପାଇଁ ଦଳ ଅନ୍ୟ କେଉଁ ଯୋଦ୍ଧା ଉପରେ ଭରସା କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ବିଜେଡିର ଏଭଳି ଗୋଳମାଳିଆ ସ୍ଥିତିର ଫାଇଦା ନେବାକୁ ଅଣ୍ଟା ଭିଡିଛି ବିଜେପି । ଯୁବ ଯୋଦ୍ଧା ବିଶ୍ୱଙ୍କ ଭରସାରେ ବିଜେପି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ପୁଣିଥରେ ବରୀର ମଙ୍ଗ ଧରିବାକୁ ନୂଆ ଷ୍ଟ୍ରାଟେଜି ସହ ମୈଦାନକୁ ଓହ୍ଲାଇବାକୁ ଯୋଜନା କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe