ଟିକେଟ କଟିବା ପରେ କ୍ଷୋଭ ପ୍ରକାଶ କଲେ ବରୀ ବିଧାୟିକା ସୁନନ୍ଦା ଦାସ । କହିଲେ , ତାଙ୍କ ବିରୋଧରେ ହୋଇଛି ଷଡଯନ୍ତ୍ର ।

3,176

କନକ ବ୍ୟୁରୋ: ଆଜି ପ୍ରକାଶ ପାଇଛି ବିଜେଡିର ସପ୍ତମ ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ଘୋଷଣା ହୋଇଛି ୬ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ । ଏଥିରେ ୫ଟି ଅସନରେ ବଦଳିଛି ପ୍ରାର୍ଥୀଙ୍କ ନାଁ । ଏହି କ୍ରମରେ ବରୀ ଆସନରେ ମଧ୍ୟ ବଦଳିଛି ପ୍ରାର୍ଥୀତ୍ୱ । ୨୦୧୯ରେ ବରୀରୁ ବିଜେଡି ଟିକେଟ୍ ପାଇ ବିଧାୟିକା ହୋଇଥିବା ସୁନନ୍ଦା ଦାସଙ୍କ ଟିକେଟ୍ କଟି ଏଥର ଏଠାରୁ ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ଦଳ ।

୨୦୧୯ରେ ସୁନନ୍ଦା ଏଠାରୁ ବିଜେପିରେ ଥିବା ବିଶ୍ୱରଂଜନଙ୍କୁ ପାଖାପାଖି ସାଢେ ୪ହଜାର ଭୋଟରେ ହରାଇ ବିଜୟୀ ହୋଇଥିଲେ । ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ ମଧ୍ୟ କରିଛନ୍ତି । ତଥାପି ତାଙ୍କୁ ଏଥର ଭରସା କରିନି ଦଳ । ବିଶ୍ୱରଞ୍ଜନ ବିଜେପି ଛାଡି ବିଜେଡିରେ ଯୋଗ ଦେବା ପରେ ଦଳର ନିଷ୍ପତ୍ତି ବଦଳିଯାଇଥିଲା । ସୁନନ୍ଦାଙ୍କ ବଦଳରେ ବିଶ୍ୱରଞ୍ଜନଙ୍କୁ ଟିକେଟ ଦେଇଛି ଦଳ ।

ଏଥର ଟିକେଟ୍ କଟିଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ସୁନନ୍ଦା । ସେ କହିଛନ୍ତି, ୨୦୧୯ରେ ଯେତେବେଳେ ସେ ମାତ୍ର ସାଢେ୪ ହଜାର ଭୋଟରେ ଜିତିଥିଲେ । ଏବେ ବିଜଡିର ଭୋଟ ୪୦ ହଜାରରେ ସେ ପହଞ୍ଚାଇଛନ୍ତି । ତଥାପି ତାଙ୍କ ଉପରେ ଦଳ ଭରସା କଲାନି । ଗତ ୩ ମାସ ଧରି ପାର୍ଟି ଅଫିସରୁ ବାରମ୍ବାର ରିପୋର୍ଟ ମଗାଇଥିଲେ । ରିପୋର୍ଟ ଠିକ ଥିଲେ ବି ତାଙ୍କ ଟିକେଟ୍ କଟିଗଲା । ତାଙ୍କ ବିରୋଧରେ ସଙ୍ଗୀନ ଷଡଯନ୍ତ୍ର ହୋଇଛି । ସମୟ ଆସିଲେ ସବୁ ସତ ଜଣାପଡିବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସୁନନ୍ଦା ଦାସ ।