ସଙ୍ଗୀତର ସାତ ସୁରରେ ସୁନ୍ଦର ଗୀତ ଗାଇ ମନ ମୁଗ୍ଧ କରୁଛନ୍ତି କଲେଜ ଛାତ୍ରୀ । ସତେକି ସୌଭାଗ୍ୟଲକ୍ଷ୍ମୀଙ୍କ କଣ୍ଠରେ ବସିଛନ୍ତି ମାଆ ‘ସରସ୍ୱତୀ’ !

405

କନକ ବ୍ୟୁରୋ: ସଙ୍ଗୀତରେ ଶିବ ଆରାଧାନା, ସଙ୍ଗୀତରେ ସାଆନ୍ତେଙ୍କୁ ଗୁହାରୀ, ସେହି ସଙ୍ଗୀତର ସୁର, ତାଳ, ଲୟର ଛାନ୍ଦେ ଛାନ୍ଦେ ମାଆ ପାଖେ ଅଳି । ସଙ୍ଗୀତ ତାଙ୍କ ଜୀବନ, ସଙ୍ଗୀତ ତାଙ୍କ ସ୍ୱପ୍ନ… ସାରେ ଗାମାର ସାତ ସୁରରେ ସୁମଧୁର ଗୀତ ଗାଇ ସମସ୍ତଙ୍କ ମନକୁ ମୁଗ୍ଧ କରୁଛନ୍ତି ବରଗଡର ସୌଭାଗ୍ୟଲକ୍ଷ୍ମୀ ।

ବରଗଡ ମାଷ୍ଟରଟିକ୍ରାରେ ରହୁଥିବା ସୌଭାଗ୍ୟଲକ୍ଷ୍ମୀ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । ବୟସ ସିନା କମ ହେଲେ ହୃଦୟଛୁଆଁ ଗୀତ ଗାଇ ଏବେ ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି ସେ । ସୋସିଆଲ ମିଡିଆ ଏବଂ ୟୁଟ୍ୟୁବ ଚ୍ୟାନେଲରେ ପାଖାପାଖି ୩୦୦ରୁ ଅଧିକ ଗୀତ ଗାଇ ବରଗଡର ଘରେଘରେ ପରିଚିତ ସୌଭାଗ୍ୟଲକ୍ଷ୍ମୀ । ଭଜନଠୁ ଆରମ୍ଭ କରି ଦେଶପ୍ରେମ ଗୀତ ତାସହ ଷ୍ଟୁଡିଓରେ ତାଙ୍କ ରୋମାଣ୍ଟିକ ଗୀତ ଲୋକଙ୍କୁ ବେଶ ଛୁଇଁ ପାରିଛି ।

ପିଲାବେଳୁ ମାଆଙ୍କ ପ୍ରେରଣା ପାଇ ୬ ବର୍ଷ ବୟସରୁ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ ସୌଭାଗ୍ୟଲକ୍ଷ୍ମୀ । ଆଉ ବଡ ହେଲା ପରେ ସେ ପାଲଟିଗଲେ ଜଣେ କଣ୍ଠଶିଳ୍ପୀ । ସଙ୍ଗୀତକୁ ନେଇ ସେ ଅହରହ ସ୍ୱପ୍ନ ଦେଖୁଥିବା ବେଳେ ଆଗକୁ ଏଥିରେ କ୍ୟାରିୟର କରିବାକୁ ବି ଲକ୍ଷ୍ୟ ରଖିଛନ୍ତି । ତେଣୁ ତ ଟିକେ ଫୁରସତ ମିଳିଲେ ମନେ ମନେ ଗୁଣଗୁଣ ହେବା ସହ ହାରମୋନିୟମ ଧରି ସଙ୍ଗୀତ ସହ ସାଥୀ ପାଲଟିଯାଆନ୍ତି ସୌଭାଗ୍ୟଲକ୍ଷ୍ମୀ ।

ଗୀତ ସହ ଚିତ୍ର ଆଙ୍କିବାରେ ବି ମାହିର ସୌଭାଗ୍ୟଲକ୍ଷ୍ମୀ । ତେବେ ସବୁଠାରୁ ବଡ କଥା ହେଉଛି ସୌଭାଗ୍ୟଲକ୍ଷ୍ମୀଙ୍କ ସଙ୍ଗୀତ ଯାତ୍ରା ପଛରେ ରହିଛି ତାଙ୍କ ମାଆଙ୍କ ବଡ ଅବଦାନ । ସୌଭାଗ୍ୟଲକ୍ଷ୍ମୀଙ୍କ ମାଆ ନିଜ ଅଞ୍ଚଳକୁ ନେଇ ଅନେକ ଗୀତ, ଭଜନ ରଚନା କରୁଥିବା ବେଳେ ତାକୁ କଣ୍ଠଦାନ କରନ୍ତି ଝିଅ । ବାପା ବାବୁଲାଲ ବରଗଡ କଚେରୀରେ ୪ର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି କିନ୍ତୁ ଝିଅର ଏ ପ୍ରତିଭା ପାଇଁ ସେ ଭାରି ଖୁସି ଅଛନ୍ତି । ସତରେ ସୌଭାଗ୍ୟଲକ୍ଷ୍ମୀଙ୍କ କୁନି କଣ୍ଠରେ ଯାଦୁ ଅଛି । ଥରେ ଶୁଣିଲେ ଆଉ ଥରେ ଶୁଣିବାକୁ ଇଚ୍ଛା ହେଉଛି ।