ବିଜୁ ସ୍ମାର୍ଟ ହେଲଥ କାର୍ଡରେ ଯୋଡିହେଲା ବରଗଡ଼ । ଜିଲ୍ଲାର ୩ ଲକ୍ଷ ୬୪ ହଜାର ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା

99

କନକ ବ୍ୟୁରୋ: ସ୍ମାର୍ଟ ତାଲିକାରେ ସାମିଲ ହେଲା ବରଗଡ଼ । ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଜିଲ୍ଲାର ୧୨ଟି ବ୍ଲକର ୩ ଲକ୍ଷ ୬୪ ହଜାର ହିତାଧିକାରୀ ଉପକୃତ ହେବେ । ଖାଲି ସେତିକି ନୁହେଁ ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ୩ କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ ।

ବରଗଡ ସହିତ ରାଜ୍ୟର ୧୧ଟି ଜିଲ୍ଲା ଏହି ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହେଲାଣି । ଏହି ଅବସରରେ ୫ଟି କାର୍ଯ୍ୟକ୍ରମରେ ରୁପାନ୍ତରିତ ହୋଇଥିବା ବିଜେପୁରର ୭୧ଟି ସ୍କୁଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ୨୯୮ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ସହ ବରଗଡ଼ କ୍ୟାନସର ହସ୍ପିଟାଲର ଭିତ୍ତିିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ୨୦୯୦ କୋଟି ବ୍ୟୟରେ ଗଙ୍ଗାଧର ମେହେର୍ ଉଠା ଜଳସେଚନ ପ୍ରକଳ୍ପରୁ ୨୦୨୩ ସୁଦ୍ଧା ଚାଷୀ ପାଣି ପାଇବେ ବୋଲି ଘୋଷଣା କରିଛନ୍ତି ନବୀନ ।

ଅନ୍ୟପଟେ ମମିତା ହତ୍ୟା ମାମଲାରେ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ବରଗଡରେ ଗର୍ଜିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ବରଗଡ଼ରେ ଉଭୟ ବିଜେପି ଓ କଂଗ୍ରେସ କର୍ମୀ କରିଛନ୍ତି ବିକ୍ଷୋଭ ଓ ଅଣ୍ଡାମାଡ । କଳା ପତାକା ଧରି ବିରୋଧ ପ୍ରଦର୍ଶନ ବେଳେ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବାବେଳେ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ଓ ବିଜେଡି କର୍ମୀ । ପ୍ରତିବାଦ କରୁଥିବା କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ବିବାଦ ଆଉ ବିକ୍ଷୋଭ ଭିତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନାରେ ବରଗଡକୁ ସାମିଲ କରିଛନ୍ତି ରାଜ୍ୟ ସରକାର । ଜିଲ୍ଲାର ୩ଲକ୍ଷ ୬୪ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା । ଏହାସହ ଜିଲ୍ଲାରେ ୩୦୦କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପୁରର ୭୧ଟି ରୂପାନ୍ତରିତ ସ୍କୁଲକୁ ବି ଲୋକାର୍ପିତ କରିଛନ୍ତି ମୁଖମନ୍ତ୍ରୀ । ସେହିଭଳି ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ ୨୦୨୩ ସୁଦ୍ଧା ସରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶୁକ୍ରବାର ରାତି ଅଧିଆ ବିରୋଧୀଙ୍କୁ ଉଠାଇ ନେଇଥିଲା ପୋଲିସ । ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଓ ବରଗଡ ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦଙ୍କୁ ଗିରଫ କରିଥିଲା ପୁଲିସ । ଏହାକୁ ନେଇ ସରଗରମ ହୋଇଥିଲା ରାଜଧାନୀ ରାଜନୀତି ।