ବିସ୍ଫୋରକ ରୂପ ନେଲା ବରଗଡରେ ସିଟି ହସ୍ପିଟାଲ ଦାବି । ଏକତା ମଂଚ ପକ୍ଷରୁ ଆଜି ବରଗଡ ବନ୍ଦ ଡାକରା । ଗତକାଲି ଆନ୍ଦୋଳନ ବେଳେ ପୁଲିସ-ଜନତା ହାତାହାତି

ଜିଲ୍ଲା ହସପିଟାଲ ସ୍ଥାନାନ୍ତର ନିଷ୍ପତି ପରେ ସିଟି ହସପିଟାଲ ପାଇଁ ଚାଲିଛି ଆନ୍ଦୋଳ

220

କନକ ବ୍ୟୁରୋ: ବରଗଡରେ ସିଟି ହସ୍ପିଟାଲ ଦାବିରେ ୪ଦିନ ହେଲା ଚାଲିଥିବା ଆନ୍ଦୋଳନ ବିସ୍ଫୋରକ ରୂପ ନେଇଛି । ଆଜି ଏକତା ମଂଚ ପକ୍ଷରୁ ବରଗଡ ବନ୍ଦ ଡାକରା ଦିଆଯାଇଛି । ବରଗଡ ଜିଲ୍ଲା ହସ୍ପିଟାଲକୁ ଟୁକୁର୍ଲ୍ଲା ସ୍ଥାନାନ୍ତର କରିବା ପରେ ସହର ଭିତରେ ଏକ ସିଟି ହସ୍ପିଟାଲ ପାଇଁ ଦାବି କରି ଆନ୍ଦୋଳନ କରୁଛନ୍ତି ସହରବାସୀ । ହେଲେ ଏନେଇ କୌଣସି ନିଷ୍ପତି ହୋଇୁପାରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି ।

ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ସହରବାସୀଙ୍କୁ ଚିକିତ୍ସା ଯୋଗାଇ ଦେବା ଦାବି ଆନ୍ଦୋଳନର ରୂପ ନେଇଛି । ବରଗଡ ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ଆଲଗା ଅଲଗା ଦୁଇଟି ସ୍ଥାନରେ ଧାରଣା ଦେଇ ଦାବି ଉପସ୍ଥାପନ କରାଯାଇଥିଲା । ନିଜ ନିଜ ଅଂଚଳରେ ପ୍ରବେଶପଥକୁ ଅବରୋଧ କରି ଜନସାଧାରଣ ମଧ୍ୟ ଦାବି ଉପସ୍ଥାପନ କରିଛନ୍ତି । ଏପଟେ କିନ୍ତୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ପରେ ପୁରୁଣା ଡାକ୍ତରଖାନାକୁ ପିଏଚସି ଘୋଷଣା କରାଯାଇଛି ।

ଗତ ୪ଦିନ ହେଲା ଚାଲିଥିବା ଆନ୍ଦୋଳନ ସୋମବାର ଖଣ୍ଡ ଯୁଦ୍ଧର ରୁପ ନେଇଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା । ସ୍ଥିତି ଏଭଳି ହୋଇଥିଲା ଯେ ଉଭୟ ଉଭୟଙ୍କୁ ପଥରମାଡ ମଧ୍ୟ କରିଥିଲେ । ହଜାର ହଜାର ଲୋକ ଡାକ୍ତରଖାନା ସାମ୍ନାରେ ପ୍ରତିବାଦ କଲାବେଳେ ସାମ୍ନାକୁ ଆସିଥିଲା ଏଭଳି ଅଭାବନୀୟ ଚିତ୍ର । ଏପରିକି ବରଗଡ ବିଧାୟକଙ୍କୁ ହଟହଟା ହେବାକୁ ପଡ଼ିଥିଲା ।