ଲାଞ୍ଚ ଦିଅ, ପ୍ରମାଣପତ୍ର ନିଅ : ଲାଞ୍ଚ ନେଇ ନକଲି ପ୍ରମାଣ ପତ୍ର ଦେବା ଅଭିଯୋଗରେ ବନ୍ଧା ହେଲେ ଆରଆଇ

620

କନକ ବ୍ୟୁରୋ : ଲାଞ୍ଚ ଦିଅ, ପ୍ରମାଣପତ୍ର ନିଅ । ଲାଞ୍ଚ ନେଇ ନକଲି ପ୍ରମାଣ ପତ୍ର ଦେବା ଅଭିଯୋଗରେ ବନ୍ଧା ହେଲେ ଆରଆଇ । ବରଗଡ଼ ଜିଲ୍ଲା ଭଟ୍ଲି ତହସିଲ ସୁକୁଡ଼ାର ରାଜସ୍ୱ ନିରୀକ୍ଷକ ବା ଆରଆଇଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭଟଲି ପୁଲିସ । ଟଙ୍କା ନେଇ ନକଲି ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ପ୍ରମାଣ ପତ୍ର, ଚରିତ୍ର ପ୍ରମାଣ ପତ୍ର ଦିଆ ଯାଇଥିବା ଅଭିଯୋଗ ହୋଇଥିଲା ।

ଏ ନେଇ ପୁଲିସ ଖୋଳତାଡ଼ କରିବା ପରେ ଆରଆଇ ସନ୍ଦୀପ ଶତପଥୀ, ଧୁମେରପାଲି ସରପଞ୍ଚ ମନୋରଞ୍ଜନ ଦୋରା ଏବଂ ଉତ୍ତରପ୍ରଦେଶର ବୀରପାଲ୍ ସିଂ, ବବଲେଶ କୁମାର ଓ ରବିକାନ୍ତଙ୍କୁ ଗିରଫ କରାଯାଇଛି । ସ୍ଥାୟୀ ବାସିନ୍ଦା, ଚରିତ୍ର ଓ ଜାତିଗତ ପ୍ରମାଣ ପତ୍ର ପାଇଁ ଉତ୍ତରପ୍ରଦେଶ କସଗଞ୍ଜ ଜିଲ୍ଲାର ତିନି ଜଣ ଯୁବକ ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ାର ଆରଆଇ ଓ ସରପଞ୍ଚଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିଲେ । ସରକାରୀ ଚାକିରି ପାଇଁ ଆବେଦନ କରିଥିବା ବେଳେ ଯାଂଚ ସମୟରେ ଧରାପଡ଼ିଥିଲେ । ଏହି ଘଟଣାର ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଭଟଲି ପୁଲିସ । ଏ ନେଇ ଅଧିକ ଖୋଳତାଡ ଜାରି ରହିଛି ।