ବରଗଡ ସବଜେଲରେ ଚାଲିଥିଲା କି ନିଶା କାରବାର ? ଜେଲ ପରିସର ସରକାରୀ କୋଠାରୁ ୨ ହଜାରରୁ ଅଧିକ ବୋତଲ କଫ ସିରଫ ଜବତ ପରେ ଉଠିଲା ପ୍ରଶ୍ନ

ଜେଲ ସୁଇପରକୁ ଥାନାରେ ଅଟକ ରଖି ପୁଲିସର ପଚରା ଉଚରା 

99

କନକ ବ୍ୟୁରୋ : ବରଗଡ ଉପକାରାଗାର ପରିସରରୁ ବିପୁଳ ପରିମାଣର କଫ ସିରପ୍ ଜବତ କରିଛି ବରଗଡ ଟାଉନ ଥାନା ପୁଲିସ । କାରାଗାର ପରିସରରେ ସରକାରୀ କୋଠାରେ ରହୁଥିବା ଜେଲର ସୁଇପର ଆକାଶ ସିନ୍ଦିରିଆଙ୍କ ଘରୁ ୨ହଜାରରୁ ଅଧିକ ପରିମାଣର କଫ ସିରପ୍ ଜବତ କରାଯାଇଛି । ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ଜେଲ ଭିତରେ ନିଶାକାରବାର ଚାଲିଥିଲା କି  । ଜଣେ ଜେଲ କର୍ମଚାରୀ ନିଜ ଘରେ କାହିଁକି ବିପୁଳ ପରିମାଣର କଫ ସିରପ ରଖିଥିଲେ ।

କଫ ସିରପକୁ ନିଶାଖୋର ବ୍ୟକ୍ତି ନିଶା ଭାବେ ବ୍ୟବାହର କରିଥାନ୍ତି । ତେଣୁ ଜେଲରେ ଥିବା ବିଚାରଧିନ କଏଦିଙ୍କୁ ଜେଲ ସୁଇପର ଆକାଶ ଯୋଗାଇ ଦେଉଥିଲେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଜେଲ ପରିସରରେ ଏହି ନିଶା କାରବାର ଚାଲିଥିବା ବେଳେ ଜେଲ ଅଧିକ୍ଷକ ଅଞ୍ଜଳି ପଟେଲ କେମିତି ଜାଣି ପାରିଲେ ନାହିଁ । ଏହା ମଧ୍ୟ ସନ୍ଦେହ ବଢାଉଛି । ଜେଲ ସୁଇପରଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ବରଗଡ ଟାଉନଥାନା ପୁଲିସ । ତେବେ ତଦନ୍ତ ପରିସରକୁ ବ୍ୟାପକ କରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ।