କନକ ବ୍ୟୁରୋ : ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସି ହଟହଟା ହେଲେ । ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବନ୍ଧ୍ୟାକରଣ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଥିଲା । ଏଥିପାଇଁ ଆଖପାଖ ଅଂଚଳରୁ ଅନେକ ମହିଳା ଆସିଥିଲେ । ସକାଳ ୬ଟାରୁ ଆସିଥିଲେ ମଧ୍ୟ ମହିଳାଙ୍କୁ ରାତି ୯ଟା ଯାଏଁ ବି ଅସ୍ତ୍ରୋପଚାର କରାଯାଇପାରିନଥିଲା । ବଡ କଥା ହେଉଛି ନିଶା ଔଷଧ ନେଇ ଘଂଟା ଘଂଟା ଧରି ପଡି ରହିଥିଲେ ଅନେକ ମହିଳା ।
ଆପଣ ଦେଖୁଥିବା ଏହି ଚିତ୍ର ଭିନ୍ନ ଏକ କଥା ବୟାନ କରୁଛି । ଏ ମହିଳାମାନେ ଚଟାଣରେ ଥକ୍କା ମାରୁ ନାହାନ୍ତି, ବାସ୍ତବରେ ସେମାନଙ୍କୁ ନିଶା ଔଷଧ ଦିଆଯାଇଛି । ତେଣୁ ସେମାନେ ଏଭଳି ଶୋଇ ରହିଛନ୍ତି । କାହିଁକି ସେମାନଙ୍କୁ ଦିଆଯାଇଛି ନିଶା ଔଷଧ? ଏହାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ଏହି ମହିଳାମାନେ ବରଗଡ ଓ ଛତିଶଗଡର ବିଭିନ୍ନ ଅଂଚଳରୁ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଆସିଛନ୍ତି । ବୁଧବାର ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବନ୍ଧ୍ୟାକରଣ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ ପାଇଁ ଆଖପାଖ ଅଂଚଳରୁ ଏହି ସବୁ ମହିଳା ଆସିଥିଲେ । ସକାଳ ୬ଟାରୁ ଆସିଛନ୍ତି ଏହି ମହିଳା, କିନ୍ତୁ ରାତି ୯ଟା ଯାଏଁ ବି ସେମାନଙ୍କୁ ଅସ୍ତ୍ରୋପଚାର ହୋଇ ନାହିଁ । ଏପରିକି ସେମାନଙ୍କୁ ନିଶା ଔଷଧ ମଧ୍ୟ ଦିଆଯାଇଥିଲା । ଫଳରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି ।
ଏହି କ୍ୟାମ୍ପରେ ୭୦ରୁ ଅଧିକ ମହିଳା ଆସିଥିବା ବେଳେ ଦିନ ୧୨ଟା ବେଳେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା । ଶେଷରେ ରାତି ୮ଟା ବେଳକୁ ଆଉ ୨୭ ଜଣ ମହିଳାଙ୍କୁ ଅପରେସନ କରାଯାଇ ପାରିବ ନାହିଁ ଏବଂ ଘରକୁ ଫେରିଯିବାକୁ କହିଥିଲେ ଦାୟିତ୍ୱରେ ଥିବା ମେଡିକାଲ କର୍ମଚାରୀ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିଥିଲେ ଏବଂ ତୃଣମୂଳ କର୍ମୀଙ୍କ ଦାୟିତ୍ୱହୀନ କାମ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଜିଲ୍ଲାପାଳ ମଧ୍ୟ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାତିରେ ଅଚାନକ ପରିଦର୍ଶନ କରିଛନ୍ତି । ବିଭିନ୍ନ ଅବ୍ୟବସ୍ଥା ନେଇ ଅଧିକାରୀଙ୍କୁ ମଧ୍ୟ ଦେଇଛନ୍ତି ଚେତାବନୀ ।
ତେବେ ଏହାରି ଭିତରେ ପ୍ରଶ୍ନ ଉଠୁଛି, ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ? କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା? ଦାୟିତ୍ୱରେ ଥିବା କର୍ମଚାରୀ କେମିତି ମହିଳାଙ୍କୁ ଛାଡି ଚାଲିଗଲେ? କେତେ ସଂଖ୍ୟାରେ ରୋଗୀ ଆସୁଛନ୍ତି ତାହାର ଆକଳନ କାହିଁକି କରିପାରିଲାନାହିଁ ପ୍ରଶାସନ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/vlcsnap-2019-10-24-23h04m46s53.png)