ବରଗଡ଼ ପାଲଟିଲା ମଥୁରା ନଗରୀ, ଅମ୍ବାପଲ୍ଲୀ ହେଲା ଗୋପପୁର: ଆଜିଠୁ ଆରମ୍ଭ ହେଲା ବରଗଡ ଧନୁଯାତ୍ରା

63

କନକ ବ୍ୟୁରୋ: ଆଉ କିଛି ସମୟର ଅପେକ୍ଷା । ଉଦଘାଟିତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ବିଶ୍ୱର ସବୁଠୁ ବଡ଼ ମୁକ୍ତାକାଶ ରଂଗମଂଚରେ ମଂଚସ୍ଥ ହେବ ନାଟ୍ୟାଭିନୟ । ଦୀର୍ଘ ୧୧ ଦିନ ଧରି ଗଣତନ୍ତ୍ର ବଦଳରେ ଚାଲିବ ପ୍ରତିକାତ୍ମକ ରାଜତନ୍ତ୍ର । ଯାତ୍ରା ପାଇଁ ପ୍ରସ୍ତୁତ ରହିଛି ଉଭୟ ମଥୁରାପୁର ଏବଂ ଗୋପପୁର । ଧନୁଯାତ୍ର ପାଇଁ ୨୧ରୁ ଅଧିକ କଳାକାର ଦଳ ବରଗଡ଼ରେ ପହଂଚି ସାରିଛନ୍ତି । ଆଉ ଏଥର ଧନୁଯାତ୍ର ପାଇଁ ହୋଇଛି କଡ଼ା ସୁରକ୍ଷା ବ୍ୟବସ୍ଥା ।

ବାହାରିଛି କଳାକାରଙ୍କ ବିରାଟ୍ ପଟୁଆର । ରାଜରାସ୍ତା ଉପରେ ନୃତ୍ୟପ୍ରଦର୍ଶନ କରୁଛନ୍ତି କଳାକାର । କିଏ ପାରମ୍ପରିକ ନୃତ୍ୟ କରୁଛନ୍ତି ଓ ଆଉ କିଏ ଲୋକକଳା ପ୍ରଦର୍ଶନ କରୁଛନ୍ତି । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ସାମିଲ ହେବା ପାଇଁ ମଧୁରାନଗରୀରେ ପହଚଂଚି ସାରିଛନ୍ତି ୨୧ଟି କଳାକାର ଦଳ । ମା’ ସମଲେଶ୍ୱରୀଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ପରେ ରାଜମହଲ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରାୟ ୫ଶହ କଳାକାର । ଶୋଭାଯାତ୍ରାରେ ଧନୁଯାତ୍ରା କମିଟିର ଅଧ୍ୟକ୍ଷ ତଥା ଜିଲ୍ଳାପାଳଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ସାମିଲ୍ ହୋଇଛନ୍ତି ।

ଏପଟେ ଧନୁଯାତ୍ରାର ସୁରକ୍ଷା ପାଇଁ ସଜାଗ୍ ରହିଛନ୍ତି ସୁରକ୍ଷା ବାହିନୀ । ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ମଧୁରାନଗରୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ପୁଲିସ୍ ମୁତୟନ କରାଯାଇଥିବା ବେଳେ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଏସ୍ପି ।

ଆଉ କିଛି ସମୟର ଅପେକ୍ଷା । ଆରମ୍ଭ ହୋଇଯିବ, ବିଶ୍ୱର ସର୍ବବୃହତ ରଙ୍ଗମଂଚରେ ନାଟ୍ୟଅଭିନୟ । କଂସଙ୍କ ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ମଧୁରାନଗର । ୧୧ ଦିନ ଧରି ଚାଲିବ ମହାରାଜଙ୍କ ରାଜୁତି । ଗଣତନ୍ତ୍ରର ଶାସନ ଭିତରେ ଚାଲିବ ପ୍ରତିକାତ୍ମକ ରାଜତନ୍ତ୍ର । ମହାରାଜ କଂସ ଆଦେଶରେ ଚାଲିବ ପୁରା ବ୍ୟବସ୍ଥା ।