ଧନୁଯାତ୍ରା ପୂର୍ବରୁ ବରଗଡରେ ବଢୁଛି ବିବାଦ: କିଏ ହେବ ମଥୁରାର ମହାରାଜ ? କଂସକୁ ନେଇ କଳି !

527

କନକ ବ୍ୟୁରୋ: ଧନୁଯାତ୍ରା ପୂର୍ବରୁ ପୁଣି ଜୋର ଧରିଲା କଂସ ଚରିତ୍ର ବିବାଦ । ଚଳିତ ବରଗଡ ଧନୁଯାତ୍ରାରେ ପୁଣିଥରେ କଂସ ଚରିତ୍ର ବଛାଯିବାକୁ ନେଇ ବିବାଦ ଉପୁଜିଛି । ବର୍ତ୍ତମାନ କଂସ ଚରିତ୍ରରେ ଅଭିନୟ କରୁଥିବା କଳାକାରଙ୍କ କାର୍ଯ୍ୟକାଳ ୩ ବର୍ଷ ଥିବା ବେଳେ ଗୋଟିଏ ବର୍ଷ ପୂର୍ବରୁ ପୁଣିଥରେ କଂସ ଚରିତ୍ର ପାଇଁ କଳାକାର ବଛା ଯିବାକୁ ବିରୋଧ କରାଯାଇଛି ।

ତେବେ ଗତ ୨ ବର୍ଷ ଧରି ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା କଳାକାର ଭୁବନେଶ୍ୱର ପ୍ରଧାନ ନୂଆ ଚୟନକୁ ବିରୋଧ କରିଛନ୍ତି । ଭୁବନେଶ୍ୱର ଅଭିଯୋଗ କରିଛନ୍ତି କି ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବା ପାଇଁ କାର୍ଯ୍ୟକାଳ ୩ ବର୍ଷ ରହିଛି । ତେବେ ସେ ୨ ବର୍ଷ ଧରି ଅଭିନୟ କରିଆସୁଛନ୍ତି । ଅଭିନୟ କରିବା ପାଇଁ ଆଉ ବର୍ଷକର ସମୟ ଥିବା ବେଳେ ଏବେ ପୁଣିଥରେ କଂସ ଚରିତ୍ର ପାଇଁ କଳାକାର ଚୟନକୁ ସେ ବିରୋଧ କରିଛନ୍ତି ।

ସେପଟେ ଚୟନ ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମ ଓଡିଶା କଳାକାର ସଂଘ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆଯାଇଛି । ସଂଘ କହିଛି, ଧନୁଯାତ୍ରା କମିଟିର ନିଷ୍ପତ୍ତି ଅନୁସାରେ କଂସ ଚରିତ୍ର ଅଭିନୟ କରୁଥିବା କଳାକାର ୩ ବର୍ଷ ଯାଏଁ ଅଭିନୟ କରିପାରିବେ । ଏହା ପାଳନ ହେଉନଥିବାରୁ ବର୍ତ୍ତମାନ କଳାକାର ଚୟନ ନେଇ କମିଟିର ନିଷ୍ପତ୍ତିକୁ ସଂଘ ବିରୋଧ କରିଛି । ଅନ୍ୟପକ୍ଷରେ ଜିଲ୍ଲାପାଳ କହିଛନ୍ତି ସମସ୍ତ କମିଟି ସହିତ ଏ ସଂକ୍ରାନ୍ତରେ ପୁଣିଥରେ ଆଲୋଚନା ହେବ ।

କଂସ ଚରିତ୍ରରେ ଅଭିନୟ କରୁଥିବା ଭୁବନେଶ୍ୱର ପ୍ରଧାନ ୧୯୯୮ରୁ ୨୦୦୦ ଯାଏଁ ୨ ବର୍ଷ ଧରି କଂସ ଅଭିନୟ କରିଥିଲେ । ୧୭ ବର୍ଷ ପରେ ୨୦୧୭ ରେ ୨୨ ଜଣ କଳାକାରଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ମନୋନୀତ ହୋଇଥିଲେ । ନିୟମ ଅନୁସାରେ ଭୁବନେଶ୍ୱର ଏଥର ଅଭିନୟ କରିବା କଥା । କିନ୍ତୁ ନୂଆ କଳାକାର ଚୟନ ବରଗଡ ଧନୁଯାତ୍ରାକୁ ବିବାଦୀୟ କରିଦେଇଛି ।