ଗୋପପୁର ପାଲଟିଥିବାରୁ ୧୧ ଦିନ ଆମିଷ ଖାଏନି ଅମ୍ବାପାଲି: ଭଗବାନ କୃଷ୍ଣଙ୍କ ଜନ୍ମ ପରେ ଆମିଷ ତ ଦୂରର କଥା ପିଆଜ-ରସୁଣ ବି ପାଖ ମାଡେନି

321

କନକ ବ୍ୟୁରୋ: ଧନୁଯାତ୍ରାର ଧୁନରେ ଉଠୁଛି ପଡୁଛି ବରଗଡ । ୨ ଦିନ ହେବ ଆରମ୍ଭ ହୋଇଥିବା ବିଶ୍ୱପ୍ରସିଦ୍ଧ ରଙ୍ଗମଞ୍ଚରେ ଚାଲିଛି କଂସ ଦରବାର । ପ୍ରବଳ ମହାପ୍ରତାପୀ କଂସ ରାଜଗାଦିରେ ବସିବା ପରେ ମଥୁରାରେ ଆରମ୍ଭ ହୋଇଛି କଂସ ରାଜୁତି । ୧୧ ଦିନ ପାଇଁ ବରଗଡ ମଥୁରା ପାଲଟିଥିବା ବେଳେ କଂସଙ୍କ ବିକଟାଳ ହସରେ କମ୍ପୁଛି ସାରା ସହର ।

ତେବେ ୩୧ ତାରିଖ ଠାରୁ ବରଗଡ ସହର ଦ୍ୱାପର ଯୁଗକୁ ଫେରିଯାଇଥିବା ବେଳେ ଗାଁ ଗାଁ ଗଳିକନ୍ଦିରେ ଦେଖିବାକୁ ମିଳୁଛି ଦ୍ୱାପର ଯୁଗର ଝଲକ । ତେବେ ସବୁଠାରୁ ବଡ କଥା ହେଉଛି ଗୋପପୁର ପାଲଟିଥିବା ଅମ୍ବାପାଲିରେ ୧୧ ଦିନ ଧରି ନିଷ୍ଠାର ସହ ରିତିନୀତି ପାଳନ କରାଯାଏ । ଗୋପପୁରରେ କୃଷ୍ଣ ଜନ୍ମ ହୋଇଥିବାରୁ ୧୧ ଦିନ ବ୍ୟାପୀ ଅମ୍ବାପାଲିର କୌଣସି ଘରକୁ ଆମିଷ ପଶେନି । ଏମିତି କି କୌଣସି ଖାଦ୍ୟରେ ପିଆଜ ରସୁଣରେ ପଡେନି । ବିନା ପିଆଜ, ବିନା ରସୁଣରେ ସମସ୍ତ ଖାଦ୍ୟ ପ୍ରସ୍ତୁତ ହୁଏ । ଗୋପପୁର ପାଲଟିଥିବାରୁ ଅମ୍ବାପାଲିବାସୀ ସାତ୍ୱିକ ଆହାର କରନ୍ତି ଆଉ ସକାଳ ସଞ୍ଜ ସଂକୀର୍ତ୍ତନ କରନ୍ତି ।

ସେପଟେ କୃଷ୍ଣଙ୍କ ଜନ୍ମ ପରେ ଗୋପପୁର ପାଲଟିଥିବା ଅମ୍ବାପାଲିରେ ଭକ୍ତିଭାବର ପରିବେଶ ସୃଷ୍ଟି ହୋଇଛି । ଗଳିକନ୍ଦି, ରାସ୍ତାଘାଟ ଓ କାନ୍ଥ ବାଡରେ ଆଧ୍ୟାତ୍ମିକ ଚିତ୍ର ସହ ସାଜସଜ୍ଜା କରାଯାଇଛି । କୃଷ୍ଣଙ୍କ ବାଲ୍ୟଲୀଳାର ସମସ୍ତ ଘଟଣାକୁ ଗୋଟି ଗୋଟି କରି କାନ୍ଥରେ ଅଙ୍କା ଯାଇଛି ।

ତେବେ ୧୧ ଦିନ ଧରି ହେବାକୁ ଥିବା ଧନୁଯାତ୍ରାରେ ଆଜି ମଥୁରା ନଗରୀରେ କଂସ ମହାରାଜା ମହାଦେବ ଦର୍ଶନ କରିବେ । କାରାଗାର ଗୃହ ପ୍ରବେଶ ପରେ ବିଜୁଳି କନ୍ୟାକୁ ପ୍ରହାର କରିବେ ଆଉ ଏହା ପରେ ଦୈବବାଣୀ ହେବ । ସେପଟେ ଗୋପପୁର ନନ୍ଦୋତ୍ସବ ହେବା ସହ କୃଷ୍ଣଙ୍କୁ ଦୋଳିଝୁଲା ହେବ । ରାସନୃତ୍ୟ ସହ ସଂକୀର୍ତ୍ତନ କରି ନଗର ଭ୍ରମଣ ହେବ ।