ପୁଲିସ ମାଡରେ ମୃତ୍ୟୁ ଅଭିଯୋଗ ମାମଲା : ଡ୍ରାଇଭର ସମେତ ୪ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟାନ୍ତର କଲେ ଏସପି

ଅଭିଯୁକ୍ତକୁ ପୁଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ

166

କନକ ବ୍ୟୁରୋ : ବରଗଡ ପୋଲିସ ହାଜତ ମୃତ୍ୟୁ ଓ ଲାଠିଚାର୍ଜ ଘଟଣାରେ ପୁଲିସ ପ୍ରଶାସନର କାର୍ଯ୍ୟାନୁଷ୍ଠାନ । ବରଗଡ ଟାଉନଥାନାର ୨ ଜଣ ଏଏସଆଇ ଜଣେ ଏସଆଇ ଓ ଜଣେ ହୋମଗାର୍ଡଙ୍କୁ କାର୍ଯ୍ୟାନ୍ତର କରାଯାଇଛି । ବରଗଡ ଏସପିଙ୍କ ନିର୍ଦ୍ଦେଶରେ ବରଗଡ ଟାଉନ ଥାନାର ୪ ଜଣ ପୁଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିବୃତ ରଖାଯାଇଛି । ସେମାନେ ହେଲେ ସବ ଇନ୍ସପେକ୍ଟର ମଙ୍ଗଲ କିସ୍କୋ, ଏଏସଆଇ ପିତାମ୍ବର ବେହେରା, ଏଏସଆଇ କ୍ଷୀରୋଦ ବିଶ୍ୱାଳ ଓ ହୋମଗାର୍ଡ ଗୋପବନ୍ଧୁ ଜଗଦଲା । ଆଗକୁ ଏଚଆରପିସି ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବରଗଡ ଏସପି ରାହୁଲ ଜୈନ ।

ଅଭିଯୋଗ ଅନୁସାରେ, ମୃତ ଗୋବିନ୍ଦଙ୍କୁ ଦଙ୍ଗା ଅଭିଯୋଗରେ ରାତି ଅଧିଆ ଉଠାଇ ନେଇଥିଲା ପୁଲିସ । ମେଡିକାଲରେ ଗୋବିନ୍ଦଙ୍କ ମୃତ୍ୟୁ ହେବାରୁ ପୋଲିସ ପିଟିପିଟି ମାରି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ନ୍ୟାୟ ଦାବିରେ ପରିବାର ସଦସ୍ୟ ରାସ୍ତାରେ ଶବ ରଖି ପ୍ରତିବାଦ କରୁଥିବା ବେଳେ ପୁଲିସ ଲାଠିଚାର୍ଜ କରିଥିଲା । ଏହାକୁ ନେଇ ଉତେଜନା ତେଜିବା ପରେ ପଶ୍ଚିମାଂଚଳ ଡିଆଇଜି ଜୟନାରାୟଣ ପଙ୍କଜ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ । ଏହାପରେ ଏଚଆରପିସି ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ୱାରା ତଦନ୍ତ କରାଯିବ ବୋଲି ପଶ୍ଚିମାଂଚଳ ଡିଆଇଜି ପ୍ରତିଶ୍ରୁତି ଦେଇଛନ୍ତି ।