କନକ ବ୍ୟୁରୋ : ଯେତେବେଳେ ଲୋକଙ୍କ ଭିତରେ ମଣିଷପଣିଆ ମରିଯାଏ, ମନରେ ଅନ୍ଧବିଶ୍ୱାସ ଜନ୍ମନିଏ, ସେତେବେଳେ ଏମିତି ଅଭାବନୀୟ, ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସେ । ଆପାଣର ମଣିଷଟି ପର ହୋଇଯାଏ । ଖୋଲା ଆକାଶ ତଳେ ପଲିଥିନଟିଏ ଟାଣି, ସଂପର୍କୀୟ ମଣିଷଟିକୁ ଅସହାୟ ଅବସ୍ଥାରେ ଛାଡି ଚାଲିଯାଆନ୍ତି ପରିବାର ଲୋକ । ବରଗଡ ଜିଲ୍ଲାର ଭଟଲି ୍ବ୍ଲକ ଅନ୍ତର୍ଗତ ନୂଆଁଗଡ ରାସ୍ତା କଡରୁ ସାମ୍ନାକୁ ଆସିଛି ଏହି ଚିନ୍ତାଜନକ ଦୃଶ୍ୟ ।
ଅସୁସ୍ଥ ବୃଦ୍ଧା ଜଣଙ୍କ କୁଶନପୁରୀ ଗାଁର । ଘରେ ସ୍ୱାମୀ, ପୁଅ,ବୋହୂ, ନାତି ନାତୁଣୀ ସମସ୍ତେ ଅଛନ୍ତି । ହେଲେ ଗୋଡରେ ଘା’ ଯୋଗୁଁ ତାଙ୍କୁ କେହି ଛୁଇଁଲେ ନାହିଁ । ଘରୁ ଆଣି ଜଙ୍ଗଲ ମଝିରେ ଛାଡି ଦେଇ ଚାଲିଗଲେ । ବୃଦ୍ଧାଙ୍କୁ ଏଭଳି ଅବସ୍ଥାରେ ଦେଖି ସାମାଜିକ ଅନୁଷ୍ଠାନ ସଂକଳ୍ପ ପକ୍ଷରୁ ଭଟଲି ପୁଲିସକୁ ଖବର ଦିଆଯାଇଛି । ସେଚ୍ଛାସେବୀ ବିକାଶ ଅଗ୍ରୱାଲ, ଜି.ରମେଶ, ଶେଷଦେବ ପ୍ରଧାନ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ଉଦ୍ଧାର କରି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଛନ୍ତି । ସର୍ଜରୀ ୱାର୍ଡରେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି ।
ଏବେ ବିଜ୍ଞାନ କେତେ ଆଗକୁ ଗଲାଣି, ଲୋକ ଚନ୍ଦ୍ରପୃଷ୍ଠରେ ପହଂଚିଲାଣି । ହେଲେ ଏବେ ବି ସାମଜରୁ ଅନ୍ଧବିଶ୍ୱାସ ଭଳି ବିଷ ଦୂରେଇ ପାରିନାହିଁ । ଜଣେ ବୃଦ୍ଧା ମାଆ ରୁଗ୍ଣ ହୋଇଯିବାରୁ ପରିବାର ଲୋକ ତାଙ୍କ ଚିକିତ୍ସା କରାଇବା ବଦଳରେ ଜଙ୍ଗଲରେ ଛାଡି ଚାଲିଯାଉଛନ୍ତି । ପରିବାରର ଏଭଳି କାମକୁ ସ୍ଥାନୀୟ ଲୋକେ ନାପସନ୍ଦ କରିଥିବା ବେଳେ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ପ୍ରଶଂସା କରିଛନ୍ତି ।