କନକ ବ୍ୟୁରୋ : ବରଗଡର ସୁନା ପୁଅ ଦଶମ ଶ୍ରେଣୀର ଛାତ୍ର ପ୍ରତୀକ ମହାରଣା । ୩୮ ତମ ଜୁନିୟର ଆଥଲେଟିକ୍ସ ଚାମ୍ପିଅନ୍ସିପ-୨୦୨୩ରେ ଶହେ ଓ ୨ଶହ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି ପ୍ରତୀକ । ତାମିଲନାଡୁ କୋଏମ୍ବାଟୋରରେ ଆୟୋଜିତ ଖେଳକୁଦ ପ୍ରତିଯୋଗୀତାରେ ପ୍ରତିଭାର ପାରଦର୍ଶିତା ଦେଖାଇ ପରିବାର ଓ ରାଜ୍ୟ ପାଇଁ ଖୁସି ଆଣିଛନ୍ତି ପ୍ରତୀକ । ଆଉ ଏହି ସଫଳତା ପଛରେ ତାଙ୍କ ପରିବାର ଓ କୋଚ୍ ଶିବ ମିଶ୍ରଙ୍କ ପ୍ରମୁଖ ଭୁମିକା ରହିଛି । ପିଲାଟି ଭଲ ଖେଳୁଥିବା ଦେଖି ତାଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି ।
ବରଗଡର ଯୁଧିଷ୍ଠର ମହାରଣାଙ୍କ ପୁଅ ପ୍ରତୀକ । ଖପର ଘରେ ରହୁଛନ୍ତି ୫ ପ୍ରାଣୀ ପରିବାର । ଯୁଦ୍ଧିଷ୍ଠିର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ଘରର ଆର୍ଥିକ ସ୍ଥିତି ଦେଖି ପୁଅ ପ୍ରତୀକ୍ ନିଜ ପଢା ଓ ଖେଳ ଖର୍ଚ ତୁଲାଇବା ପାଇଁ ଡେଲିଭରି ବୟ ଭାବେ କାମ କରନ୍ତି । ଟଙ୍କା ପାଇଁ କାମ କରିବା ସହ ଖେଳ ପାଇଁ ଅଭ୍ୟାସ ଜାରି ରଖିଥାନ୍ତି । ସେହି ଅଭ୍ୟାସ ଆଜି ତାଙ୍କୁ ସଫଳତାର ଶିଢି ଚଢିବାରେ ସହାୟକ ହୋଇଛି ।
ତେବେ ସରକାରୀ ସହାୟତା ଓ ଅଭ୍ୟାସ ପାଇଁ ସ୍ଥାୟୀ ପଡିଆ ମିଳିଲେ ପ୍ରତୀକ ଭଲ ଖେଳି ଦେଶର ନାଁ ରଖିପାରନ୍ତେ ବୋଲି କହିଛନ୍ତି କୋଚ ।