ମହଙ୍ଗା ପଡିଲା ବର୍ଦ୍ଦିର ବହପ । ଲକଡାଉନ ବେଳେ ଚୋରା ଗାଡିରେ ଜିଲ୍ଲା ପରେ ଜିଲ୍ଲା ପାର କଲେ, ଶ୍ରୀମନ୍ଦିର ଯାଇ ଦର୍ଶନ କଲେ । ଆଇନ ଭାଙ୍ଗିଥିବାରୁ ନିଲମ୍ବିତ ହେଲେ ବଡଚଣା ଆଇଆଇସି ଦୀପକ ଜେନା ।

809

କନକ ବ୍ୟୁରୋ: କରୋନା ପାଇଁ ସାରା ଦେଶରେ ତାଲାବନ୍ଦ ନିୟମ କଡାକଡି ଭାବେ ପାଳନ ହେଉଥିବାବେଳେ ଏହି ନିୟମ ଭାଙ୍ଗି ଏବେ ଅଡୁଆରେ ପଡିଛନ୍ତି ଜଣେ ପୁଲିସ ବାବୁ । ତାଲାବନ୍ଦ କଟକଣା ନିୟମ ଭାଙ୍ଗି ନିଲମ୍ବିତ ହୋଇଛନ୍ତି ବଡଚଣା ଆଇଆଇସି ଦୀପକ ଜେନା । ଯାହା ସୂଚନା ରହିଛି ଯାଜପୁର ଜିଲ୍ଲା ବଡଚଣା ଥାନା ଅଧିକାରୀ ଏକ ଚୋରୀ ଗାଡିରେ ପୁରୀ ଯାଇ ଶ୍ରୀମନ୍ଦିରରେ ପ୍ରବେଶ କରିବାବେଳେ ଧରା ପଡିଛନ୍ତ । ତେବେ ବଡ କଥାହେଲା ଆଇଆଇସି ନିଜ ସହ ନିଜ ପରିବାରକୁ ନେଇ ପୁରୀ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଯାହା ତାଙ୍କୁ ମହଙ୍ଗା ପଡିଛି ।

ଧଳା ରଙ୍ଗର ସ୍କର୍ପିଓ ଗାଡିଟିକୁ ଜବତ କରିଥିଲା ବଡଚଣା ଥାନା ପୋଲିସ । ସୁକାନ୍ତ ଦଳେଇ ନାମକ ଜଣେ ଠିକାଦାରଙ୍କ ଏହି ଗାଡିକୁ ଆଉ ଜଣେ ଠିକାଦାର ଜୋର ଜବରଦସ୍ତ ନେଇ ଯାଇଥିଲେ । ଥାନାରେ କେସ୍ ବି ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗାଡିଟିକୁ ବ୍ୟବହାର କରି ଚାଲିଥିଲେ ଆଇଆଇସି ଦୀପକ ଜେନା । ଗାଡି ଉପରେ ହଳିଦିଆ ବତି ବି ଲାଗିଛି । ଆଉ ବାବୁ ଦୀପକ ଜେନା ଏହି ଗାଡିକୁ ଧରି ଜାଇଥିଲେ ଲକଡାଉନ ଭିତରେ ଦିଅଁ ଦର୍ଶନ କରିବାକୁ । ପୁଲିସ ବାବୁ, ତାଙ୍କୁ ଅଟକେଇବ କିଏ? ଶ୍ରୀମନ୍ଦିରରେ ପସି ଦିଅଁ ଦର୍ଶନ ବି କଲେ ।

କିନ୍ତୁ ଏହି ଖବର ଜଣା ପଡିଯିବା ପରେ ଆଇଆଇସିଙ୍କୁ ନିଲମ୍ବିତ କରିଦେଲେ ଡିଜି ପୁଲିସ । ପୁରା ପରିବାର ସହ ଲକଡାଉନର ନିୟମ ଭାଙ୍ଗି ଶ୍ରୀମନ୍ଦିରରେ ପ୍ରବେଶ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ପୋଲିସ୍ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । ଦକ୍ଷିଣଦ୍ୱାର ନିକଟରେ ଦାୟିତ୍ୱରେ ଥିବା ଜଣେ ହାବିଲଦାର ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ । ହେଲେ ଶ୍ରୀମନ୍ଦିରରେ ମୁତୟନ ଥିବା ହାବିଲଦାରଙ୍କ କଥାକୁ ଖାତିର ନକରି ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଦୀପକ ଜେନା । ଫଳରେ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ରୁଜୁ ହୋଇଛି ମାମଲା ।

ରବିବାର ଶ୍ରୀମନ୍ଦିର ପ୍ରବେଶ ପରେ ଯାଜପୁର ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାରକୁ ଅଟକ ରଖାଯାଇଥିଲା । କେଉଁ ସେବାୟତ ଏହି ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ନେଇଥିଲେ, ସେନେଇ ମଧ୍ୟ ଖୋଳତାଡ ଜାରି ରହିଥିବା ଜଣାପଡିଛି ।