କନକ ବ୍ୟୁରୋ: ସାଧାରଣ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ସରଗରମ । ଏପ୍ରିଲ ୨୯ ତାରିଖରେ ହେବାକୁଥିବା ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଓଡ଼ିଶାର ୬ଟି ଲୋକସଭା ଓ ଏହା ଅଧିନରେ ଥିବା ୪୨ଟି ବିଧାନସଭା କ୍ଷେତ୍ରରେ ହେବ ମତଦାନ । ସେଥି ମଧ୍ୟରେ ରହିଛି ଯାଜପୁର ସଂସଦୀୟ କ୍ଷେତ୍ରର ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ । ଯାହାକୁ ଏହି ନିର୍ବାଚନମଣ୍ଡଳୀ ରାଜନୀତି ଉଷ୍ମ ହେବାରେ ଲାଗିଛି । ଅନ୍ୟପଟେ ଉଭୟ ବିଜେଡି-ବିଜେପି ଓ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ସଙ୍କଟରେ ପକାଇଛି ।
ବଡଚଣା ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ଝଡ଼ । କାରଣ ବିଭିନ୍ନ ସମୟରେ ଚର୍ଚାରେ ରହିଆସିଥିବା ଏହି ନିର୍ବାଚନ ମଣ୍ଡଳୀରେ ଗୋଷ୍ଠୀକନ୍ଦଳ ନେତାଙ୍କୁ ଅଡୁଆରେ ପକାଇଛି । ସବୁ ଦଳରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଶାସକ ଦଳ ବିଜେଡି ଅଧିକ ଚର୍ଚାରେ ରହିଛି । ଶାସକ ଦଳ ମୁଖ୍ୟ ସଚେତକ ବରିଷ୍ଠ ବିଧାୟକ ଅମର ଶତପଥୀ ପାଞ୍ଚ ପାଞ୍ଚ ଥର ବିଜୟୀ ହୋଇ ରେକର୍ଡ଼ କରିଥିବା ବେଳେ ଏଥର ନିଜ ଦଳରେ ଗୋଷ୍ଠୀ ବିବାଦ ତାଙ୍କ ରାଜନୀତିକୁ ଅଧିକ ଆକ୍ରାନ୍ତ କରିଛି ।
ଜିଲ୍ଲାରେ ଶାସକ ଦଳର ଏକ ଯୁବ ଗୋଷ୍ଠୀ ଅଭିଜ୍ଞ ଓ ପୁରୁଖା ନେତାଙ୍କ ହାତରୁ ଶାସନ ଡୋରି ଛଡ଼ାଇ ନେବାକୁ ବିଦ୍ରୋହୀଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଚାଲିଛନ୍ତି। କିନ୍ତୁ ଅମର ଏଥର ମଧ୍ୟ ପ୍ରାର୍ଥୀ ହୋଇ ଜିତିବା ପାଇଁ ଆଶା ରଖିଥିବା ବେଳେ ଶାସକ ଦଳ ବିଜେଡିର ମନୋରମା ଆଚାର୍ଯ୍ୟ, ଇତିଶ୍ରୀ ସାମଲ, ପ୍ରହଲ୍ଲାଦ ନନ୍ଦ ପ୍ରମୁଖ ଟିକେଟ ହାସଲ ପାଇଁ ଲାଗିପଡ଼ିଛନ୍ତି ।
ଅନ୍ୟପଟେ ଗତ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଜନ୍ମେଜୟ ଲେଙ୍କା ଦଳରୁ ଇସ୍ତଫା ଦେବାପରେ ଏବେ କଂଗ୍ରେସରେ ନୂତନ ଆଶାୟୀ ଶୁଭେନ୍ଦୁ ମହାନ୍ତି ଓ ପୁରୁଖା ନେତା ସୀତାକାନ୍ତ ମହାପାତ୍ରଙ୍କ ସମର୍ଥକଙ୍କ ମଧ୍ୟରେ ବଳ କଷାକଷି ହେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ଏହି ମାଟିର କେତେକ ସଚେତନ ନାଗରିକଙ୍କ ଉଦ୍ୟମ ଫଳରେ ଦୁର୍ନୀତି ପ୍ରସଙ୍ଗ ସର୍ବଦା ଚର୍ଚ୍ଚାରେ ରହିଆସିଛି। ତେଣୁ ଏଥର କିଏ ଏହି ପ୍ରସଙ୍ଗକୁ ଧରି ଅମରଙ୍କୁ ମାତ୍ ଦେବ ଏବଂ କାହାକୁ ଶିରିପା ପିନ୍ଧାଇବା ପାଇଁ ଦଳ ବାଛିବ ତାହା ଉପରେ ରହିଛି ନଜର ।
ସେପଟେ ବିଜେପିରେ ନୂଆ-ପୁରୁଣା ବିବାଦ ଲାଗି ରହିଛି । ଗତ ନିର୍ବାଚନର ବିଜେପି ପ୍ରାର୍ଥିନୀ ସୀମନ୍ତିନୀ ଜେନାଙ୍କୁ ଗତଥରର ସ୍ବାଧୀନ ପ୍ରାର୍ଥୀ ଅମର ନାୟକ ଚେକମେଟ୍ ଦେବା ଆରମ୍ଭ କରିଛନ୍ତି । କାରଣ ଅମର ବିଜେପିରେ ଯୋଗଦେବା ପରଠାରୁ ସଂଗଠନକୁ ସୀମନ୍ତିନୀଙ୍କ ହାତରୁ ହାଇଜାକ୍ କରିନେଇଥିବା ଗେରୁଆ କ୍ୟାମ୍ପରେ ଶୁଣିବାକୁ ମିଳୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ଅମର ନାୟକ ଏବେ ପୂରା ଦମରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଲାଗିପଡ଼ିଛନ୍ତି। ଗୋଟଏ ବ୍ଲକ୍ କୁ ନେଇ ଗଠିତ ଏହି ନିର୍ବାଚନ ମଣ୍ଡଳୀକୁ ଦଖଲ କରିବାକୁ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଏକ ପ୍ରକାର ନିଶ୍ଚିତ ହୋଇଥିବା ବେଳେ ଗୋଷ୍ଠୀ ବିବାଦ ସବୁ ଦଳର ନେତାଙ୍କ ପାଇଁ ମୁଖ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BADACHANA.jpg)