ସୋମବାରଠାରୁ ଖୋଲିବ ମଦ ଦୋକାନ । ଗ୍ରୀନ୍ ଓ ଅରେଂଜ ଜୋନରେ ଖୋଲିବ ସେଲୁନ୍, ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ । ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ପାରିବେ ଇ-କମର୍ସ କଂପାନୀ ।

2,115

କନକ ବ୍ୟୁରୋ: ସୋମବାର ଠାରୁ ଗ୍ରୀନ୍ ଓ ଅରେଂଜ ଜୋନ୍ରେ ଖୋଲିବ ସେଲୁନ୍ । ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ପାରିବେ ଇ-କମର୍ସ କଂପାନୀ । ଆଜି ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଥିବା ଜାତୀୟ ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି । ସେହିପରି କଂଟେନ୍ମେଂଟ୍ ଅଂଚଳକୁ ଛାଡିଦେଲେ ତିନିଟି ଯାକ ଜୋନରେ ମଦ ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିଥିବା ସୂଚନା ମିଳିଛି । ତେବେ ଏଥିପାଇଁ ସର୍ତ ରଖାଯାଇଛି । ମେ’ ୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଶେଷ ହେବ ।

ସୋମବାର ଠାରୁ ଆହୁରି ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକଡାଉନକୁ ବଢ଼ାଇ ଦେଇଛନ୍ତି କେନ୍ଦ୍ର ସରକାର । ଏହି ପର୍ଯ୍ୟାୟ ଲକଡାଉନରେ ଅନେକ କଟକଣା କୋହଳ କରିଛନ୍ତି କେନ୍ଦ୍ର ସରକାର । ଗ୍ରୀନ୍ ଓ ଅରେଂଜ ଜୋନ୍ରେ ଇ-କମର୍ସ କଂପାନୀ ପାଇଁ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିବା ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି । ଏହି ଦୁଇ ଜୋନ୍ରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ପାରିବେ ଇ-କମର୍ସ କଂପାନୀ । ତେବେ ରେଡ୍ ଜୋନ୍ ଓ କଂଟେନ୍ମେଂଟ୍ ଅଂଚଳରେ ପୂର୍ବଭଳି କଟକଣା ଜାରି ରହିବ ।

ଅନ୍ୟପଟେ କଂଟେନମେଂଟ ଅଂଚଳକୁ ଛାଡିଦେଲେ, ଅନ୍ୟ ଅଂଚଳରେ ସର୍ତମୂଳକ ଭାବେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ । ସୋମବାରଠାରୁ ଗୋଟିକିଆ ମଦ ଦୋକାନ ଖୋଲିବ ବୋଲି ସୂଚନା ମିଳିଛି । କିନ୍ତୁ ମାର୍କେଟ କମ୍ପେ୍ଲକ୍ସ ଓ ମଲ୍ରେ ଥିବା ମଦଦୋକାନ ଖୋଲିବ ନାହିଁ । ଗ୍ରାହକ-ଗ୍ରାହକ ମଧ୍ୟରେ, ଦୋକାନୀ-ଗ୍ରାହକଙ୍କ ମଧ୍ୟରେ ଅତି କମରେ ଦୁଇ ମିଟର ବା ୬ ଫୁଟ ଦୂରତା ବଜାୟ ରହିବ । ହାତ ଧୋଇବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ଏକ ସମୟରେ ୫ ଜଣରୁ ଅଧିକ ଗ୍ରାହକ ଦୋକାନ ମଧ୍ୟରେ ରହିପାରିବେ ନାହିଁ ।

ଏପଟେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲକଡାଉନରେ କ’ଣ କୋହଳ ହେବ ଓ କି’ କଟକଣା ବଳବତର ରହିବ, ଏ ନେଇ ଆସନ୍ତାକାଲି ନୂଆ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍କୁ ତର୍ଜମା କରି ରାଜ୍ୟ ସରକାର ଓଡ଼ିଶା ପାଇଁ ଗାଇଡଲାଇନ୍ ଜାରି କରିବେ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ରାଜ୍ୟରେ ଆଉ କିଛି କଟକଣା କୋହଳ ହେବା ସମ୍ଭାବନା ରହିଛି ।