ବନ୍ଧୁକ ଦେଖାଇଲେ, କେଜିଏ ସୁନା ଲୁଟିନେଲେ । ଅଳଙ୍କାର ନେଲେ ତ ନେଲେ ସିସିଟିଭି ହାର୍ଡ ଡିସ୍କକୁ ବି ସାଙ୍ଗରେ ନେଇ ଗଲେ

235

କନକ ବ୍ୟୁରୋ : କମିସନରେଟ ପୁଲିସକୁ ଲୁଟେରାଙ୍କ ପୁଣି ଖୋଲା ଚାଲେଞ୍ଜ। ରାଜଧାନୀରେ ଜଣେ ପୁଲିସ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣା ଉପରୁ ପରଦା ନ ଉଠୁଣୁ ଉପକଣ୍ଠରେ ସଶସ୍ତ୍ର ଡକାୟତି। ରାଜଧାନୀ ଉପକଣ୍ଠ ବାରଙ୍ଗ ଗୋଡ଼ିସାହି ବଜାରର ଲଳିତା ଜୁଏଲର୍ସରୁ ଲୁଟି ନେଇଛନ୍ତି ପ୍ରାୟ କେଜିଏ ଓଜନର ସୁନା ଅଳଙ୍କାର। ରାତି ପ୍ରାୟ ୯ଟାରେ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପହଞ୍ଚି ଗହଣା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟପାଟ୍ କରିଛନ୍ତି। ଦୁର୍ବୃତ୍ତଙ୍କ ବନ୍ଧୁକ ମାଡ଼ରେ ଦୋକାନୀଙ୍କ ମୁଣ୍ଡ ଫାଟିଯାଇଛି। ଲୁଟି ସାରିବା ପରେ ସିସିଟିଭି ହାର୍ଡ ଡିସ୍କ ନେଇ ଫେରାର ହୋଇ ଯାଇଛନ୍ତି ଦୁର୍ବୃତ୍ତ। ଖବର ପାଇବା ପରେ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, କଟକ ଗଣେଶ ଘାଟ ଅଞ୍ଚଳର ଲକ୍ଷ୍ମଣ ଚୌଧୁରୀଙ୍କର ବାରଙ୍ଗ ଗୋଡ଼ିସାହି ସିଆଇଏସ୍ଏଫ କ୍ୟାମ୍ପ ନିକଟରେ ଗହଣା ଦୋକାନ ରହିଛି। ରାତି ପ୍ରାୟ ୯ଟାରେ ଲକ୍ଷ୍ମଣ ଦୋକାନ ବନ୍ଦ କରୁଥିଲେ। ସବୁ ଦିନ ଭଳି ଦୋକାନ ବନ୍ଦ କରିବା ସମୟରେ ଏକ ବ୍ୟାଗରେ ଗହଣା ଭର୍ତ୍ତି କରିଥିଲେ। ସେହି ସମୟରେ ୩ଟି କଳା ରଙ୍ଗର ବାଇକ୍‌ରେ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ। ଲକ୍ଷ୍ମଣଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଗହଣା ବ୍ୟାଗ ମାଗିଥିଲେ। ଲକ୍ଷ୍ମଣ ବ୍ୟାଗ୍ ନ ଦେବାରୁ ଦୁର୍ବୃତ୍ତ ବନ୍ଧୁକରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଏହାପରେ ଗହଣା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ। ପ୍ରମାଣ ନଷ୍ଟ କରିବା ଲାଗି ଦୋକାନରେ ଲାଗିଥିବା ସିସିଟିଭି ହାର୍ଡ ଡିସ୍କ ଲୁଟି ଫେରାର ହୋଇ ଯାଇଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ କରିଛି। ଡକାୟତଙ୍କୁ ଧରିବା ଲାଗି ସ୍ବତନ୍ତ୍ର ଟିମ୍ ମଧ୍ୟ ଗଠନ କରାଯାଇଛି। କିନ୍ତୁ ଦୁର୍ବୃତ୍ତଙ୍କ ଟେର୍ ପାଇ ପାରିନାହିଁ। ଘଟଣା ସମ୍ପର୍କରେ ଲକ୍ଷ୍ମଙ୍କଠାରୁ ବିସ୍ତୃତ ଭାବେ ପୁଲିସ ତଥ୍ୟ ସଂଗ୍ରହ କରିଛି। ଲୁଟ ସୁନାର ପରିମାଣ ପ୍ରାୟ କେଜିଏ ହେବ ବୋଲି ଲକ୍ଷ୍ମଣ ଅଭିଯୋଗ କରିଥିବା ବେଳେ ଅଧ କେଜିରୁ ଅଧିକ ହେବ ବୋଲି ପୁଲିସ କହିଛି। ସୂଚନାଯୋଗ୍ୟ, ଗତ ୬ ତାରିଖରେ ରାଜଧାନୀରେ ଜଣେ ପୁଲିସ କନଷ୍ଟେବଳଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ମାମଲାରେ ବି ପୁଲିସ ଏଯାଏ କୌଣସି ସୁରାକ୍‌ ପାଇ ପାରିନାହିଁ।