ବରମୁଣ୍ଡା ବସଷ୍ଟାଣ୍ଡ ହେବ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ : ଡିଜାଇନ୍‌ ପ୍ରସ୍ତୁତ କରିବ ଡିଆଇଏମ୍‌ଟିଏସ୍‌

ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁରୀକୁ ଅହରହ ଚାଲିବ ବସ୍ : ଆପଦକାଳୀନ ପରିସ୍ଥିତି ପାଇଁ ଆମ୍ବୁଲାନ୍ସ ଓ ୫ ଟଙ୍କାରେ  ଭକ୍ତଙ୍କୁ ମିଳିବ ମିଲ୍

କନକ ବ୍ୟୁରୋ : ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ କରାଯିବ । ଏଥିପାଇଁ ଡିଜାଇନ୍‌ ପ୍ରସ୍ତୁତ କରିବ ନୂଆଦିଲ୍ଲୀର ଦିଲ୍ଲୀ ଇଣ୍ଟିଗ୍ରେଟେଡ୍‌ ମଲ୍ଟିମୋଡାଲ ଟ୍ରାନଜିଟ୍‌ ସିଷ୍ଟମ ଲିମିଟେଡ୍‌ (ଡିଆଇଏମ୍‌ଟିଏସ୍‌)। ଦୁଇ ମାସ ମଧ୍ୟରେ ଡିଜାଇନ୍‌ ପ୍ରସ୍ତୁତ କରିବାକୁ ଥିବା ସଂସ୍ଥା ଏଥିପାଇଁ ପ୍ରାୟ ୭୯ଲକ୍ଷ ଟଙ୍କା ନେବ ବୋଲି ଜଣାପଡ଼ିଛି ।

ବିଡିଏ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବରମୁଣ୍ଡା ବସଷ୍ଟାଣ୍ଡକୁ ରାଜ୍ୟର ସବୁଠୁ ବଡ଼ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ ଭାବେ ନିର୍ମାଣ କରାଯିବ । ଏଠାରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ । ଏଥିପାଇଁ ଏହାର ଡିଜାଇନ୍‌ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି । ଏନେଇ ଜାତୀୟ ସ୍ତରରେ ହୋଇଥିବା ବିଡିଂ ଡିଆଇଏମ୍‌ଟିଏସ୍‌ ପାଇଛି। ଏହି ସଂସ୍ଥା ନୂଆଦିଲ୍ଲୀର କାଶ୍ମୀର ଗେଟ୍‌, ସରାଇକାଲେ ଖାନ୍‌ ଏବଂ ଆନନ୍ଦ ବିହାରସ୍ଥିତ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲର ଡିଜାଇନ୍‌ ପ୍ରସ୍ତୁତ କରିଥିବାବେଳେ ନୂଆଦିଲ୍ଲୀ ଷ୍ଟେସନର ଉନ୍ନତିକରଣ ଏବଂ ଆନନ୍ଦ ବିହାର ରେଳ ଷ୍ଟେସନ, ଝାଡ଼ଖଣ୍ଡର ୮ଟି ସହରରେ ବସ୍‌ଷ୍ଟାଣ୍ଡର ଉନ୍ନତିକରଣ ଡିଜାଇନ୍‌ ବି ପ୍ରସ୍ତୁତ କରିଛି ।

ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ କ’ଣ କ’ଣ ସୁବିଧା ସୁଯୋଗ ରହିବ ତାହାର ସୂଚନା ବିଡିଏ ପକ୍ଷରୁ ଦିଆଯାଇଛି । ଏହାକୁ କିପରି ଯୋଗାଯିବ ଏବଂ ଅଧିକ କ’ଣ ସୁବିଧା ସୁଯୋଗ ଉପଲବ୍ଧ ହେବ ତାହା ଉପରେ ମଧ୍ୟ ‘ଡିଆଇଏମ୍‌ଟିଏସ୍‌’ ଡିଜାଇନ୍‌ ପ୍ରସ୍ତୁତ କରିବ। ଏହି ଡିଜାଇନ୍‌ ପ୍ରସ୍ତୁତ ସହ ବରମୁଣ୍ଡା ବସଷ୍ଟାଣ୍ଡର ବଜାର ଚାହିଦା, ଯାତାୟତ କରୁଥିବା ବସ୍‌, କାର୍‌, ଦୁଇ ଚକିଆ ଯାନର ସବିଶେଷ ତଥ୍ୟ ଆଦିର ରିପୋର୍ଟ ଦେବ ।

ଏହା ବାଦ୍‌ ଏହି ବସ୍‌ଷ୍ଟାଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଭିନ୍ନକ୍ଷମ ଏବଂ ଶିଶୁଙ୍କ ଅନୁକୂଳ ଉପଯୋଗୀ କରାଯିବ । ଏଥିପାଇଁ ଡିଜାଇନ୍‌ ପ୍ରସ୍ତୁତି ସମୟରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାକୁ କୁହାଯାଇଛି । ଭିନ୍ନକ୍ଷମାନଙ୍କୁ ସୁବିଧାରେ ଚଳପ୍ରଚଳ, ଯାତାୟତ ପାଇଁ ର‍୍ୟାମ୍ପ୍‌ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବା ପାଇଁ ଏହି ପ୍ରକଳ୍ପ ଅନ୍ତର୍ଜାତୀୟ ତଥା ଦେଶରେ ରହିଥିବା ସମସ୍ତ ନିୟମାବଳିକୁ ପାଳନ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ସହ ସର୍ତ୍ତ ରହିବ ।

କେଉଁ କେଉଁ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳିବ
୧୫.୫ ଏକର ଜମିରେ ପରିବ୍ୟାପ୍ତ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରେ ବହୁ ଅତ୍ୟାଧୁନିକ ସୁବିଧାସୁଯୋଗ ଉପଲବ୍ଧ ହେବ। ଯାତ୍ରୀଙ୍କ ସୁବିଧା ସୁଯୋଗ ପାଇଁ କେତେକ ସମନ୍ଵିତ ଯୋଜନା ସ୍ୱରୂପ ପ୍ରିପେଡ୍‌ ଅଟୋ ଓ ଟ୍ୟାକ୍ସିଂ ବୁକିଂ ଏବଂ ଡ୍ରପିଂ ବ୍ୟବସ୍ଥା ରହିବ। ଅନ୍‌ଲାଇନ୍‌ରେ ବସ୍‌ ଟିକେଟ ବୁକିଂଠାରୁ ଆରମ୍ଭ କରି ଅଟୋ ବୁକିଂ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ। ଏହି ବସ୍‌ଷ୍ଟାଣ୍ଡ୍‌ରେ ବ୍ୟବସାୟୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ। ବହୁତଳ ବସ୍‌ ଓ କାର୍‌ ପାର୍କିଂ ସୁବିଧା ରହିବ। ଯାତ୍ରୀଙ୍କ ପାଇଁ ଏସି ଏବଂ ସାଧାରଣ ପ୍ରତୀକ୍ଷାଳୟ ରହିବ । ଏହାବ୍ୟତୀତ ଶୌଚାଳୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ ହେବ।

ସେହିପରି ପୂରା ବସଷ୍ଟାଣ୍ଡରେ ଓ୍ଵାଇଫାଇ ସୁବିଧା ଉପଲବ୍ଧ ହେବ। ପୂରା ବସଷ୍ଟାଣ୍ଡରେ ଅପ୍ଟିକାଲ ଫାଇବର୍‌ ନେଟଓ୍ଵର୍କ ବିଛାଯିବ। ବସଷ୍ଟାଣ୍ଡର କୋଣ ଅନୁକୋଣ ଉପରେ ନଜର ରଖିବା ପାଇଁ ଆବଶ୍ୟକୀୟ ସିସିଟିଭି ଲାଗିବ। ଏହାସହ ରିଅଲ୍‌ ଟାଇମ୍‌ ପାର୍କିଂ ସୂଚନା, ଅନ୍ତଃରାଜ୍ୟ ଏବଂ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ପାଇଁ ଟ୍ରାନ୍‌ଜିଟ୍‌ ସୂଚନା ବ୍ୟବସ୍ଥା ରହିବ। ଏଠାରେ କେଉଁ ବସ୍‌ କେତେବେଳ ଆସିବ ଓ ଛାଡ଼ିବ ତା’ର ସବିଶେଷ ସୂଚନା ଡିସପ୍ଲେ ବୋର୍ଡରେ ମିଳିବ । ରାଜ୍ୟ ବାହାରକୁ କିପରି ଅଧିକ ଗାଡ଼ି ଚଳାଚଳ କରିବ ଏବଂ ଯାତ୍ରୀ ଏହାର ସୁବିଧା ଉଠାଇବେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବ ।

ସିଟି ବସ୍‌ ଓ ବାଇସାଇକେଲକୁ ପ୍ରୋତ୍ସାହିତ କରାଯିବ
ପବ୍ଲିକ୍‌ ଟ୍ରାନ୍‌ସପୋର୍ଟ, ବାଇସାଇକେଲ୍‌, ଅଟୋ ରିକ୍‌ସା, ଇ-ରିକ୍‌ସା ଭଳି ସମସ୍ତ ପ୍ରକାର ଯାନବାହନ ପାଇଁ ଏଠାରେ ସ୍ୱତନ୍ତ୍ର ସେବା ଉପଲବ୍ଧ ହେବ । ଏଠାରେ ସମନ୍ଵିତ ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବ । ଯାତ୍ରୀମାନେ ସାଧାରଣ ପରିବହନ ବ୍ୟବସ୍ଥାକୁ କିପରି ଗୁରୁତ୍ୱ ଦେବେ ସେନେଇ ଏଠାରେ ଆକର୍ଷଣୀୟ ବ୍ୟବସ୍ଥା ଉପଲବ୍ଧ ହେବ । ରେଳଯାତ୍ରା ସହ ବସ୍‌ ଯାତ୍ରା, ପିକ୍‌ ଅପ୍‌ ଆଣ୍ଡ୍‌ ଡ୍ରପ୍‌ ପ୍ରଭୃତି ସୁପରିକଳ୍ପିତ ସମନ୍ଵୟ ବ୍ୟବସ୍ଥା ରହିବ ଏହି ପ୍ରକଳ୍ପରେ । ଏଥିପାଇଁ ବି ଡିଜାଇନ୍‌ ପ୍ରସ୍ତୁତ ସମୟରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe