ଫେବ୍ରୁଆରୀରେ ହେବ ବରମୁଣ୍ଡା ବସ୍ ଟର୍ମିନାଲ ଲୋକାର୍ପଣ । ଭୋରରୁ ନୂଆ ଟର୍ମିନାଲ କାମର ସମୀକ୍ଷା କଲେ ଫାଇଭ-ଟି ଅଧ୍ୟକ୍ଷ । ଶୀଘ୍ର ବାକି କାମ ସାରିବାକୁ ନିର୍ଦ୍ଦେଶ ।

388

କନକ ବ୍ୟୁରୋ: ଫେବ୍ରୁଆରୀରେ ଲୋକାର୍ପିତ ହେବ ବରମୁଣ୍ଡା ନୂଆ ବସ୍ ଟର୍ମିନାଲ । ଆଜି ଭୋରରୁ ନୂଆ ଟର୍ମିନାଲ କାମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ପ୍ରତିକ୍ଷାଳୟ, ପରିମଳ ବ୍ୟବସ୍ଥା, ଆଲୋକୀକରଣ ସୁବିଧା ଆଦି କାମର ସମୀକ୍ଷା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ । ମଧ୍ୟ ଫେବ୍ରୁଆରୀ ସୁଦ୍ଧା ବରମୁଣ୍ଡା ନୂଆ ବସ୍ ଟର୍ମିନାଲ ଲୋକାର୍ପଣ କରାଯିବ । ତେଣୁ ତୁରନ୍ତ ବାକି ଥିବା କାମ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଯାତ୍ରୀମାନେ ବିଶ୍ୱସ୍ତରୀୟ ଯାତ୍ରା ଅନୁଭୂତି ପାଇବେ । ନୂଆ ବସ୍ ଟର୍ମିନାଲରେ ପ୍ରିପେଡ୍ ଅଟୋ ଓ ଟ୍ୟାକ୍ସି ସୁବିଧା ମିଳିବ । ଏହା ସହ ବିମାନବନ୍ଦର ପରି ସୁବିଧା ପାଇବେ ଯାତ୍ରୀ । ବିମାନ ବନ୍ଦର ପରି ବସ୍ ଟର୍ମିନାଲରେ ପାର୍କିଂ ସୁବିଧା ସହିତ ଫୁଡ୍କୋର୍ଟ, ରେଷ୍ଟୁରାଣ୍ଟ ମଧ୍ୟ ରହିବ । ଆହାର କେନ୍ଦ୍ର ସହିତ କାର ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଦିବ୍ୟାଙ୍ଗଙ୍କ ପାଇଁ ର୍ୟାମ୍ପ ସୁବିଧା ସହ ମା’ ଓ ଶିଶୁଙ୍କୁ ପାଇଁ ସ୍ୱତନ୍ତ୍ର ରୁମ୍ ମଧ୍ୟ ନିର୍ମାଣ ହେଉଛି । ଏହି ନୂଆ ବସ୍ ଟର୍ମିନାଲ ଦ୍ୱାରା କେବଳ ଓଡ଼ିଶା ନୁହେଁ, ପଡୋଶୀ ରାଜ୍ୟର ଯାତ୍ରୀମାନେ ମଧ୍ୟ ଅନେକ ସୁବିଧା ପାଇପାରିବେ । ୧୫ ଦଶମିକ ୫ ଏକର ଜାଗାରେ ବରମୁଣ୍ଡା ବସ୍ ଟର୍ମିନାଲ ନିର୍ମାଣ କରାଯାଉଛି ।