ଆଜି ବରମୁଣ୍ଡା ବସ୍ ଟର୍ମିନାଲର ଲୋକାର୍ପଣ । ଅପରାହ୍ନରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

934

କନକ ବ୍ୟୁରୋ: ଆଜି ଲୋକାର୍ପିତ ହେବ ବରମୁଣ୍ଡା ବସ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନବନିର୍ମିତ ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସଷ୍ଟାଣ୍ଡର ଉଦଘାଟନ ହେବ । ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ଯାତ୍ରୀଙ୍କ ରହଣୀ ପାଇଁ ବିଶ୍ରାମ ସ୍ଥାନଠାରୁ ଆରମ୍ଭ କରି ଲିଫ୍ଟ, ଏସ୍କେଲେଟର, ଟିକେଟ କାଉଂଟର, ଏଟିଏମ୍, କୋରିୟର ସେବା, ପୁଲିସ ଆଉଟପୋଷ୍ଟ, ଫୁଡ଼ କୋର୍ଟ, ଲଗେଜ ସ୍କାନର, କରିଡ଼ର, ଶୌଚାଳୟ ସମେତ ଭିନ୍ନକ୍ଷମଙ୍କ ପାଇିଁ ସ୍ୱତନ୍ତ୍ର ସୁବିଧା କରାଯାଇଛି ।

କେବଳ ସେତିକି ନୁହେଁ ବସ୍ ଚଳାଚଳ ସୁବିଧାକୁ ଆଖି ଆଗରେ ରଖି ରେଡ଼ିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ କାର୍ଡ଼ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଟ୍ରାଏଲ ରନ୍ ହୋଇସାରିଛି । ଟର୍ମିନାଲ ଭିତରେ ମିଶନ ଶକ୍ତି କାଫେ, ମିଲେଟ ଶକ୍ତି କାଫେ, ଆହାର କେନ୍ଦ୍ର ହୋଇଛି । ଏଥିସହ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଏକ ଲାଇବ୍ରେରୀ ରହିବ । ଏଠାରେ ସମ୍ବିଧାନ ପ୍ରଦର୍ଶିତ ହେବ । ଯାହାଦ୍ୱାରା ଯୁବପିଢି ଦେଶର ମହାପୁରୁଷଙ୍କ ସମେତ ସମ୍ବିଧାନକୁ ପଢିବାର ସୁଯୋଗ ପାଇ ପାରିବେ । ୨୮ ହଜାର ବର୍ଗମିଟରରେ ତିଆରି ହୋଇଥିବା ଏହି ବସ୍ ଟର୍ମିନାଲରେ ୧୫୦ଟି ବସ୍ ୱେ’ରେ ବସ୍ ଲାଗିବାର ବ୍ୟବସ୍ଥା ରହିଛି । ତେଣୁ ଏହି ଟର୍ମିନାଲର ଲୋକାର୍ପଣ ହେଲେ, ଯାତ୍ରୀମାନେ ଉପକୃତ ହେବେ ବୋଲି କୁହାଯାଉଛି ।