କନକ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ । ଯାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର । ଚମକିଲା ବରମୁଣ୍ଡା ବସଷ୍ଟାଣ୍ଡ । ଲୋକାର୍ପିତ ହୋଇଛି ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ । ବର୍ଣ୍ଣାଢ଼ ଉତ୍ସବରେ ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୁବ୍ ଆକର୍ଷଣୀୟ ଓ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ବସ୍ ଟର୍ମିନାଲରେ ରହିପାରିବ ୧୫୦ଟି ବସ୍ । ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ । ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବା ସହ ଉପସ୍ଥିତ ଯାତ୍ରୀଙ୍କୁ ଖାଦ୍ୟ ପରସି ଦେଇଛନ୍ତି ।

ପ୍ରତୀକ୍ଷାର ଅନ୍ତ ଘଟିଛି, ଲୋକାର୍ପିତ ହୋଇଛି ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ ଟର୍ମିନାଲ । ଚମକୁଥିବା ଏହି ବସ ଟର୍ମିନାଲ୍ ଦେଖିବାକୁ ଯେତିକି ଆକର୍ଷଣୀୟ, ଏହାର ବ୍ୟବସ୍ଥା ମଧ୍ୟ ସେତିକି ଅତ୍ୟାଧୁନିକ । ଯାତ୍ରୀଙ୍କ ବିଶ୍ରାମ ସ୍ଥାନଠାରୁ ଆରମ୍ଭ କରି ଲିଫ୍ଟ, ଏସ୍କେଲେଟର, ଟିକେଟ କାଉଂଟର, ଏଟିଏମ୍, କୋରିୟର ସେବା, ପୁଲିସ ଆଉଟପୋଷ୍ଟ, ଫୁଡ୍ କୋର୍ଟ, ଲଗେଜ୍ ସ୍କାନର, ଶୌଚାଳୟ ସହ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି । ବର୍ଣ୍ଣାଢ଼ ଉତ୍ସବରେ ଏହି ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ବସ୍ ଟର୍ମିନାଲରେ ମେଡିକାଲ୍ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଜରୁରୀକାଳୀନ ମେଡିକାଲ ସେବା ଯୋଗାଇ ଦେବା ପାଇଁ ଜଣେ ଡାକ୍ତରଙ୍କ ସହ ଦୁଇ ଜଣ ନର୍ସ ପ୍ରସ୍ତୁତ ରହିବେ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ସେବା ଉପଲବ୍ଧ । ଔଷଧ ସହ ସମସ୍ତ ଚିକିତ୍ସା ସେବା ମାଗଣାରେ ପାଇବେ ଲୋକେ ।

ଯାତ୍ରୀ ପ୍ରତୀକ୍ଷାସ୍ଥଳରେ ବସ୍ ଯାତ୍ରା ସମ୍ପର୍କିତ ସମସ୍ତ ସୂଚନା ଏଲଇଡ଼ି ମାଧ୍ୟମରେ ଲପଲବ୍ଧ ହେଉଛି । ବସ୍ ଟର୍ମିନାଲରେ ମୋଟ ୬ଟି ବ୍ଳକ ରହିଛି । କେବଳ ସେତିକି ନୁହେଁ ବସ୍ ଚଳାଚଳ ସୁବିଧାକୁ ଆଖି ଆଗରେ ରଖି ରେଡିଓ ଫ୍ରିକ୍ୱେନ୍ସି ଆଇଡେଂଟିଫିକେସନ କାର୍ଡ ବାଧ୍ୟତାମୂଳକ କରାଯାଇଛି ।

ଟର୍ମିନାଲ ଭିତରେ ରହିଛି ମିଶନ ଶକ୍ତି କାଫେ, ମିଲେଟ ଶକ୍ତି କାଫେ, ଆହାର କେନ୍ଦ୍ର । ଏଥିସହ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ଗୃହ ରହିଛି । ଯାହାଦ୍ୱାରା ଦେଶର ମହାପୁରୁଷଙ୍କ ସମେତ ସମ୍ବିଧାନକୁ ପଢିବାର ସୁଯୋଗ ମିଳିବ । ୨୮ ହଜାର ବର୍ଗ ମିଟରରେ ତିଆରି ହୋଇଥିବା ଏହି ବସ୍ ଟର୍ମିନାଲରେ ଏକକାଳୀନ ୧୫୦ଟି ବସ୍ ରହିପାରିବ ।