ଗାଁ ପାଇଁ ଗୌରବ ଶ୍ୟାମଘନ…ଉଚ୍ଚ ଶିକ୍ଷିତ ହୋଇବି ଚାକିରି ବଦଳରେ କରୁଛନ୍ତି ଚାଷ…ଜୈବିକ ପଦ୍ଧତିରେ ଫସଲ ଫଳାଇ ନିଜେ ସ୍ୱାବଲମ୍ବୀ ହେବା ସହ ଅନେକଙ୍କୁ ଦେଉଛନ୍ତି ରୋଜଗାର

372

କନକ ବ୍ୟୁରୋ: କ୍ୟାନସର ରୋଗୀ ସଂଖ୍ୟା କାରଣରୁ ବରଗଡ ଜିଲ୍ଲା ଏବେ ସାରା ଦେଶରେ ଚର୍ଚ୍ଚିତ ରହିଛି । ଚାଷରେ ବ୍ୟାପକ କୀଟନାଶକ ପ୍ରୟୋଗ ଏହି ରୋଗ ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି । ତେଣୁ ଏବେ ଜୈବିକ ପଦ୍ଧତିରେ ଉତ୍ପାଦିତ ପନିପରିବା ଖାଇବାକୁ ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି । ସେହିଭଳି ଜୈବିକ କୃଷି ପ୍ରତି ବି ଚାଷୀଙ୍କ ଆଗ୍ରହ ବଢୁଛି । ଏହି ପ୍ରକାର କୃଷିରୁ ଅଧିକ ଆୟର ବି ସୁଯୋଗ ରହିଛି । ଆଉ ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବରଗଡର ସଫଳ ଜୈବିକ ଚାଷୀ ଶ୍ୟାମଘନ ସାହୁ ।

ଶ୍ୟାମଘନଙ୍କ ବୟସ ମାତ୍ର ୩୦ ହେବ । ଯୁକ୍ତ ୨ ପାଠ ପଢିବା ପରେ ବି ଚାଷବାସ ପ୍ରତି ଆକୃଷ୍ଟ ହୋଇଥିଲେ । ୨୦୦୭ମସିହାରୁ ସେ କେବଳ ଜୈବିକ ପଦ୍ଧତିରେ ନିଜ ୪ଏକର ଜମିରେ ପନିପରିବା ଏବଂ ଧାନଚାଷ କରୁଛନ୍ତି । ଫୁଲକୋବି, ଟମାଟୋ, କାକୁଡି, ବାଇଗଣ, ବନ୍ଧାକୋବି, ଲଙ୍କା, ସିମଲା ଲଙ୍କା, ଗାଜର୍, ବିଟ୍, ବ୍ରୋକଲି, ଚାଇନା ବନ୍ଧାକୋବି, ସିମ୍ବ, କଲରା, ଝୁଡଙ୍ଗ ଆଦି ସେ ଚାଷ କରି ସଫଳ ହୋଇଛନ୍ତି । କେବଳ ପନିପରିବା ଚାଷ ନୁହେଁ ଦହି, ଗୁଡ, ବେସନ, ଗୋମୂତ୍ର, ଗୋବର, ମାଟି, ମାଛକାତି, ବିଭିନ୍ନ ଗଛର ପତ୍ର, ବକ୍କଳରୁ ଜୈବିକ ସାର ଓ େଓøଷଧ ଆଦି ତିଆରି କରି ଟଙ୍କା ରୋଜଗାର କରଛନ୍ତି ଶ୍ୟାମଘନ । ଗୋଟିଏ ଏକର ଜମିରୁ ଶ୍ୟାମଘନ ପ୍ରାୟ ୫୦ହଜାର ଟଙ୍କା ଲାଭ ପାଉଛନ୍ତି ।

ଶ୍ୟାମଘନଙ୍କ ପରିବା ବରଗଡ ବଜାରକୁ ଆସିଲେ ଆଖି ପିଛୁଳାକେ ବିକ୍ରି ହେଉଛି । ହଜାରେରୁ ଅଧିକ ଗ୍ରାହକ ଏହି ଜୈବିକ ପନିପରିବାକୁ ନିୟମିତ ଖରିଦ କରୁଛନ୍ତି । ସାଧାରଣ ପରିବାରୁ ଦାମ୍ ୧୦-୨୦ ଟଙ୍କା ଅଧିକ ଥିଲେ ହେଁ ଏହାକୁ କିଣିବାକୁ ଲୋକେ ଆଗ୍ରହ ଦେଖାଉଛନ୍ତି । ଶ୍ୟାମଘନ ଜଣେ ସଫଳ ଜୈବିକ ଯୁବଚାଷୀ ହିସାବରେ ନିଜକୁ ପ୍ରତିଷ୍ଠିତ ଏବଂ ସ୍ୱାବଲମ୍ବୀ କରି ପାରିଛନ୍ତି । କେବଳ ସେତିକି ନୁହେଁ ତାଙ୍କ ସଫଳତା ଅନ୍ୟମାନଙ୍କ ଲାଗି ବି ପ୍ରେରଣା ପାଲଟିଛି ।