ବିନା କଟନି ଛଟନିରେ ମଣ୍ଡିରେ ବିକ୍ରି ହେଉନି ଧାନ । ବରଗଡ ପଦ୍ମପୁରରେ ଦଲାଲ ସକ୍ରିୟ । ମିଲର ଏଜେଣ୍ଟଙ୍କୁ ବିକିଲେ କଟନିଛଟନି ହେବନି ବୋଲି କରାଯାଉଛି ଅପପ୍ରଚାର

291

କନକ ବ୍ୟୁରୋ: ବରଗଡ ପଦ୍ମପୁରରେ ବିନା କଟନି ଛଟନିରେ ମଣ୍ଡିରୁ ଉଠୁନି ଧାନ । ଅଧିକାଂଶ ମଣ୍ଡିରେ ମିଲର, ଧାନ କିଣୁଥିବା ସଂସ୍ଥା ଚାଷୀଙ୍କ ଧାନରୁ ଦୁଇରୁ ତିନି କିଲୋ ଧାନ କଟନି , ଛଟନି କରୁଛନ୍ତି । ଏହାର ସୁଯୋଗ ନେଇ ଦଲାଲ ସକ୍ରିୟ ହୋଇଛନ୍ତି । ଅନ୍ୟପଟେ ମିଲର ଏଜେଂଟଙ୍କୁ ବିକିଲେ କଟନିଛଟନି ହେବ ନାହିଁ ବୋଲି କରାଯାଉଛି ଅପପ୍ରଚାର । ଫଳରେ ଅଭାବି ବିକ୍ରିର ଶିକାର ହେବା ସହ ବାଧ୍ୟ ହୋଇ କମ୍ ଦରରେ ଧାନ ବିକୁଛନ୍ତି ଚାଷୀ । ଏହାକୁ ନେଇ ପଦ୍ମପୁର ଅଂଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସେନ୍ତାଷ ପ୍ରକାଶ ପାଇଛି ।

ଧାନ ଅମଳ ପରେ ଏବେ ବିକ୍ରି ସମୟ, ସେଥିପାଇଁ ସରକାର ସିଧାସଳଖ ମଣ୍ଡିରେ ସରକାରୀ ଦାମରେ ବିକ୍ରି କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି  । ହେଲେ ପଦ୍ମପୁର ଉପଖଣ୍ଡ ଅଂଚଳରେ ଚାଲିଛି ଦଲାଲ ରାଜ ଓ ମିଲର ଏଜେଂଟଙ୍କ ରାଜ । ଚାଷୀ ମଣ୍ଡିରେ ଧାନ ନବିକି ସିଧାସଳଖ ମିଲକୁ ନେଇ ଧାନ ବିକିଲେ ବେଶି କଟନି ଛଟନି ହେବନାହିଁ ବୋଲି ଏକ ଅପପ୍ରଚାର ଯୋଗୁଁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଧିକାଂଶ ମଣ୍ଡିରେ ମିଲର , ଧାନ କିଣୁଥିବା ସଂସ୍ଥା ଓ ଚାଷୀଙ୍କ ମଧ୍ୟରେ କାଥାବାର୍ତା ହୋଇ ଦୁଇରୁ ତିନି କିଲୋ କଟନି, ଛଟନି କରାଯାଇ ଧାନ କିଣାଯାଉଛି ।

ଅନ୍ୟପଟେ ଅଂଚଳର ଅଧିକଂଶ ଚାଷୀ ଏଭଳି ହଇରାଣ ହେଉଥିବାରୁ ଶାଗମାଛ ଦରରେ ଧାନ ନେଇ ଅସାଧୁ ବେପାରୀଙ୍କୁ ନେଇ ଧାନ ବିକ୍ରି କରୁଥିବା ଜଣାପଡିଛି । ଧାନରେ କଟନି ନ ଦେଲେ ଦୀର୍ଘଦୀନ ଧରି ମଣ୍ଡିରେ ଧାନ ପଡି ରହୁଛି  । ଏବଂ ଯେଉଁ ଚାଷୀ କଟନି ଦେଉଛନ୍ତି ତାଙ୍କ ଧାନ ଶିଘ୍ର ବିକ୍ରି ହେଉଛି  । ବିନା ସରକାରୀ ଲାଇସେନ୍ସରେ ଖୋଲାଖୋଲି ଭାବେ ଲୋକଙ୍କଠାରୁ ଧାନ କିଣି ମାଲାମାଲ ହେଉଛନ୍ତି ଏହି ଦଲାଲ ମାନେ । ସେପଟେ ଟଙ୍କା ଅଭାବ ତଥା ବ୍ୟକ୍ତିଗତ କାରଣ ଯୋଗୁଁ ଚାଷୀ ବାଧ୍ୟ ହୋଇ ମିଲର୍ସଙ୍କ ପ୍ରସ୍ଥାବରେ ରାଜି ହୋଇ କଟନି ଦେଇ ଧାନ ବିକ୍ରି କରୁଥିବା ଚାଷୀ କହିଛନ୍ତି । ଏ ବିଷୟରେ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ଶମ୍ଭୁପ୍ରସାଦ ହରାପାଳଙ୍କୁ ପଚରାଯିବାରୁ କଟନିକୁ ପ୍ରଶୟ ଦିଆଯିବ ନାହିଁ ତଥା ଯଦି କୌଣସି ସ୍ଥାନରେ କଟନି କରି ଚାଷୀଙ୍କୁ ହଇରାଣ କରାଯାଉଥାଏ ତେବେ ଦୃଢ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ।