ମରୁଡି ପ୍ରବଣ ଅଂଚଳରେ ହସୁଛି ସୁନାର ଫସଲ: ପଦ୍ମପୁର ଚାଷୀଙ୍କ ମୁହଁରେ ହସ ଫୁଟାଇଲା ସରକାରଙ୍କ ଉଠାଜଳସେଚନ ପ୍ରକଳ୍ପ

ଚାଷ ପାଇଁ ବର୍ଷା ପାଣି ଉପରେ ଆଉ ନିର୍ଭରଶୀଳ ନୁହେଁ କୃଷକ

93

କନକ ବ୍ୟୁରୋ: ଚାଷୀ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ଏବଂ ରାଜ୍ୟ ସୁଦୃଢ ହେଲେ ଦେଶ ସୁଦୃଢ ହେବ । ଚାଷୀଙ୍କୁ ଚାଷ କାମରେ ଅଗ୍ରଗତି କରିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ତାମଧ୍ୟରୁ ଉଠାଜଳସେଚନ ଯୋଜନା ଅନ୍ୟତମ । ଏହି ଯୋଜନା ଯୋଗୁଁ ଟାଙ୍ଗରା ଭୁଇଁରେ ଚାଷୀ ସୁନାର ଫସଲ ଫଳାଇ ପାରୁଛି ।

ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପିଡିତ ଅଂଚଳ । ଏଠାକାର ଚାଷୀ କେବଳ ବର୍ଷା ପାଣି ଭରସାରେ ଧାନ ଚାଷ କରିଥାନ୍ତି । ଭଲ ବର୍ଷା ନହେଲେ ଫସଲ ଉଜୁଡି ଯାଏ । ହେଲେ ସରକାରଙ୍କ ଉଠା ଜଳସେଚନ ଯୋଜନ କାରଣରୁ ପଦ୍ମପୁର ଚାଷୀ ଏବେ ଧାନ ସହ ପନିପରିବା ଚାଷ କରୁଛନ୍ତି । ନିଜ ଜମିରୁ ଉତ୍ପାଦିତ ପନିପରିବାକୁ ସ୍ଥାନୀୟ ବଜାରରେ ବିକି ଭଲ ଦୁଇ ପଇସା ରୋଜଗାର କରୁଥିବା ବେଳେ ଅନ୍ୟଙ୍କୁ କାମ ଯୋଗାଇ ଦେଉଛନ୍ତି ଚାଷୀ ।

ବରଗଡ ଜିଲ୍ଲାରେ ବର୍ତମାନ ଉଠା ଜଳସେଚନ ବିଭାଗ ପକ୍ଷରୁ ୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଗୋଟିଏ ରିଭାଲିକ ପ୍ରକଳ୍ପ ଓ ଅନ୍ୟଟି ଡିପ୍-ବୋରୱେଲ ପ୍ରକଳ୍ପ । ସଂପୂଣ୍ଣ ବରଗଡ ଜିଲ୍ଲାରେ ୯୪୬ ଗୋଟି ରିଭଲିକ ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଉଥିବା ବେଳେ ୨୩ ହଜାର ୫୪୧ ହେକ୍ଟର ଚାଷ ଜମି ଜଳସେଚିତ ହେଉଛି । ୧୬ ହଜାର ବୋରୱେଲ ଚାଲିଛି ଯେଉଁଥିରେ ପ୍ରାୟ ୩୫ହାଜର ହେକ୍ଟର ଚାଷ ଜମି ପାଣି ପାଉଛି । ଏ ବର୍ଷ ୧୦୩ ଗୋଟି ରିଭାଲିକ ପ୍ରକଳ୍ପ ଓ ୯ ହଜାରଟି ବୋରୱେଲ କାର୍ଯ୍ୟକାରୀ ହେବାକୁ ଯାଉଛି । ଫଳରେ ଆହୁରି ୪୦ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହେବ । ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ତେବେ ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ ଯୋଗୁଁ ଚାଷୀମାନେ ଲାଭବାନ ହେଉଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।