ବେସାହାରଙ୍କ ସାହାରା ହେଲେ ଡାକ୍ତର ଦମ୍ପତି…ଅସହାୟ ବୃଦ୍ଧବୃଦ୍ଧାଙ୍କୁ କରୁଛନ୍ତି ମାଗଣା ଚିକିତ୍ସା

1,224

କନକ ବ୍ୟୁରୋ: କରୋନା ଭୂତାଣୁ ବିରୁଦ୍ଧରେ ଯୁଦ୍ଧ ଲଢୁଛି ସାରା ଭାରତ । ଆଉ ଏଭଳି ଘଡିଶନ୍ଧୀ ମୂହୂର୍ତରେ ବେସାହାରଙ୍କ ସାହାରା ପାଲଟିଛନ୍ତି ବରଗଡ଼ର ଡାକ୍ତର ଦମ୍ପତି । ବରଗଡ଼ ଜିଲ୍ଲାର ଅପହଂଚ ଇଲାକାର ବିଭିନ୍ନ ବୃଦ୍ଧାଶ୍ରମ ଯାଇ ମାଗଣାରେ ଚିକିତ୍ସା କରିବା ସହ ଆବଶ୍ୟକୀୟ ଔଷଧ ଯୋଗଇ ଦେଇଛନ୍ତି ।

ଡାକ୍ତରଙ୍କୁ କାହିଁକି ଭଗବାନଙ୍କ ଆସନରେ ବସାଯାଏ, ତାର ଯଦି ଏକ ଜୀବନ୍ତ ଉଦାରହଣ ଖୋଜୁଛନ୍ତି ତାହେଲେ ଏହି ଚିତ୍ର ଉପରେ ନଜର ପକାନ୍ତୁ । ଚିତ୍ର ହେଉଛି ବରଗଡ଼ ଜିଲ୍ଲା ସାନସାହାଜବାହାଲ୍ ଗାଁରେ ଥିବା ଏକ ବୃଦ୍ଧାଶ୍ରମର । ଯେଉଁଠି ପହଂଚିଛି ମାଗଣାରେ ଚିକିତ୍ସା କରୁଛନ୍ତି ଏକ ଡାକ୍ତର ଦମ୍ପତି । ଆଶ୍ରମରେ ଥିବା ବୃଦ୍ଧ-ବୃଦ୍ଧାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ସ୍ଥଳେ ମାଗଣା ଔଷଧ ବି ଯୋଗଇ ଦେଉଛନ୍ତି । ଯେତେବେଳେ ସାରା ବିଶ୍ୱ କରୋନା ସହ ଲଢ଼େଇ ଲଢ଼ୁଛି, ଠିକ୍ ସେତିକି ବେଳେ ଏହି ଡାକ୍ତର ଦମ୍ପତି, କରୋନା ସଂପର୍କରେ ସଚେତନ କରିବା ସହ ବୁଲି ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ବରଗଡ଼ର ଏହି ଡାକ୍ତର ଦମ୍ପତି ହେଉଛନ୍ତି ରାଜେଶ ତ୍ରିପାଠୀ ଏବଂ ସସ୍ମିତା ଦାସ । ନିୟମିତ ବ୍ୟବଧାନରେ ଏମାନେ ଆସି ନିରାଶ୍ରୟଙ୍କ ଚିକିତ୍ସା କରନ୍ତି । ଆଉ କରୋନା ଲଢ଼େଇ ବେଳେ ଏହି ଡାକ୍ତର ଦମ୍ପତି ସାନସାହାଜବାହାଲ ବୃଦ୍ଧାଶ୍ରମରେ ଚିକିତ୍ସା କରିବା ସହ ମାଗଣା ଔଷଧ ଦେଇଛନ୍ତି । ତେବେ ଡାକ୍ତର ଦମ୍ପତିଙ୍କ ଏହି ଉଦ୍ୟମକୁ ନେଇ ଆଶ୍ରମର ଅନ୍ତେବାସୀ ଖୁସି ଥିବା ବେଳେ ଏହାକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା । ସତରେ ଲୋକ ଚାହିଁଲେ ଆମ ସମାଜରେ କେତେ ବଡ଼ ପରିବର୍ତନ ଆଣି ପାରନ୍ତି, ତାର ଏକ ବଡ଼ ଉଦହାରଣ ହେଉଛନ୍ତି ବରଗଡ଼ର ଏହି ଡାକ୍ତର ଦମ୍ପତି ।