ଗରିବ ଅସହାୟଙ୍କୁ ମିଳୁନି ପକ୍କା ଘର: ଝାଟିମାଟି କୁଡିଆରେ ମୁଣ୍ଡ ଗୁଞ୍ଜିଛନ୍ତି ବରଗଡ ବ୍ରାହ୍ମଣଡିହି ଗାଁର ୩୫ ପରିବାର; ବୁଲୁଛନ୍ତି ଏ ଅଫିସରୁ ସେ ଅଫିସ, ଶୁଣିବାକୁ କେହି ନାହାନ୍ତି

219

କନକ ବ୍ୟୁରୋ : ଗରିବ ଅସହାୟ ଖଟିଖିଆଙ୍କ ପାଇଁ ପକ୍କା ଘର ସାତ ସପନ । ଝାଟିମାଟି କୁଡିଆ ଘରେ ରହୁଛନ୍ତି ଗୋଟିଏ ଗାଁର ୩୫ ପରିବାର । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବ୍ରାହ୍ମଣଡିହି ଗାଁର ଗରିବଙ୍କ ଅବସ୍ଥା ଦେଖିଲେ ପ୍ରଶାସନ ଉପରେ ସ୍ୱାଭାବିକ ଭାବେ ଅଙ୍ଗୁଳି ଉଠୁଛି । ପ୍ରଶାସନିକ ଅବହେଳା ଯୋଗୁଁ ଗାଁ ଲୋକଙ୍କୁ ସରକାରୀ ଅବାସ ଯୋଜନାରେ ପକ୍କା ଘର ଖଣ୍ଡେ ମିଳି ପାରୁ ନାହିଁ ।

ଝାଟି ମାଟିର କୁଡିଆ ଘର । ନଡା ଛପର ଉପରେ ଉଠିଛି ପୁଞ୍ଜା ପୁଞ୍ଜା ଘାସ । ଛପର ଉପରେ ପଲିଥିନ ଘୋଡା ହୋଇଛି । ଝଡ ତୋଫାନ ହେଲେ ଛପର ଉଡିଯିବାର ଆଶଙ୍କା ରହିଛି । ବର୍ଷା ହେଲେ ଛଣ ଛପର ଗଳି ପଡିବାର ଭୟ ବି ରହିଛି । ଏହି କୁଡିଆ ଘରକୁ ଦେଖନ୍ତୁ, ଛପର ଉପରେ ମାଡି ଯାଇଛି ଲତା । ଛପର ସହ କାନ୍ଥର ଅଧାଅଂଶକୁ ପଲିଥିନ ଘୋଡା ହୋଇଛି । କେହି କେହି ନିଜ ଖର୍ଚ୍ଚରେ ଇଟାରେ କାନ୍ଥ କରି ପଲିଥିନ ଘୋଡେଇ ପରିବାରକୁ ରଖୁଛନ୍ତି । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବ୍ରାହ୍ମଣଡିହି ଗାଁର ପ୍ରାୟ ୩୫ପରିବାର ଝାଟିମାଟିର କୁଡିଆରେ ମୁଣ୍ଡ ଗୁଞ୍ଜିଛନ୍ତି । ଏଭଳି ଦୟନୀୟ ଭାବେ ବଂଚୁଥିବା ଲୋକଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ କରାଯାଇ ନାହିଁ । ବର୍ଷ ବର୍ଷ ଧରି ସରକାରୀ ସହାୟତାରେ ପକ୍କା ଘର ଖଣ୍ଡେ ପାଇବାକୁ କାର୍ଯ୍ୟାଳୟକୁ ଦୌଡିଛନ୍ତି ହେଲେ ତାଙ୍କ ଗୁହାରିକୁ କେହିଁ ଶୁଣି ନାହାନ୍ତି ।

ବ୍ରାହ୍ମଣଡିହି ଗାଁର ଅଧିକାଂଶ ଲୋକ ବାଉଁଶରେ ନିତ୍ୟ ବ୍ୟବହାର୍ଯ୍ୟ ଘରୋଇ ସାମଗ୍ରୀ ତିଆରି କରିି ପରିବାର ଚଳାଇଥାନ୍ତି । ଆର୍ଥିକ ଅନଟନରେ ଘାଂଟି ହେଉଥିବା ଏହି ଗରିବ ପରିବାରର ଗୁହାରିକୁ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ କିପରି ଗରିବ ପରିବାର ଶୀଘ୍ର ଘର ପାଇବେ ସେ ନେଇ ପିଡି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତିି ପଦ୍ମପୁର ଉପଜିଲ୍ଲାପାଳ । ପ୍ରଶାସନିକ ଅବହେଳା, ଅସାଧୁ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କ ଉଦାସୀନତା ଯୋଗୁଁ ସରକାରଙ୍କ ଯୋଜନା ଗରିବ ଲୋକଙ୍କ ପାଖରେ ପହଂଚି ପାରୁନାହିଁ ।