ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ : ଜଂଗଲରେ ଜଳକଷ୍ଟ: ବନ୍ୟପ୍ରାଣୀ ଛଟପଟ

35

କନକ ବ୍ୟୁରୋ : ପାଣିପାଗର ଅସ୍ବାଭାବିକ ପରିବର୍ତ୍ତନ ଜନଜୀବନକୁ ସନ୍ତୁଳି ଦେଉଛି । ବରଗଡ଼ ଜିଲ୍ଲାରେ ଏହାର ଗୁରୁତର ପ୍ରଭାବ ଦେଖିବାକୁ ମିଳିଛି । ବର୍ଷା ଦିନେ ବର୍ଷା ନହେବା, ଶୀତ ଦିନର ଅବଧି କମିବା ଏବଂ ଖରା ପ୍ରକୋପ ଅଦିନରେ ବଢ଼ିବା ଭଳି ତାରତମ୍ୟ ଲାଗି ରହୁଛି । ଏବେ ଟାଣଖରା ସ୍ବାଭାବିକ ଜନଜୀବନ ବିଗାଡ଼ି ଦେଇଛି । ଫେବ୍ରୁଆରି ଶେଷ ସପ୍ତାହରୁ ଦିନ ବେଳା ତାପମାତ୍ରା ୩୮ ଡିଗ୍ରି ସେଲ୍‌ସିଅସ୍‌ ପାଖାପାଖି ରହୁଛି। ଅନ୍ୟପକ୍ଷରେ ଜୀବଜନ୍ତୁ ମଧ୍ୟ ଘୋର୍‌ ଅସୁବିଧାରେ ଅଛନ୍ତି । ଜଂଗଲଗୁଡ଼ିକରେ ପ୍ରାକୃତିକ ଜଳସ୍ରୋତ ଶୁଖି ଯାଇଛି। ପ୍ର‌ାକୃତିକ ଜଳାଶୟ ଟାଂଗରା ହୋଇ ପଡ଼ିଛି । ଫଳରେ ଜୀବଜନ୍ତୁଙ୍କୁ ପାଣି ମିଳୁନାହିଁ ।

ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିଛି । ତିନି ଦିନ ତଳେ ଗୋଟିଏ ବଣ ମଇଁଷି ଜଳାଭାବ ଯୋଗୁଁ ଆଖି ବୁଜି ଦେଇଥିବା ଦେଖିବାକୁ ମିଳିଛି। ବନବିଭାଗ ପକ୍ଷରୁ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ହେଁ ସ୍ଥାନୀୟ ଲୋକେ ଜଂଗଲରେ ଜଳାଭାବ ଥିବା କହୁଛନ୍ତି। ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରାୟ ୩୦ରୁ ଅଧିକ ଝରଣା ରହିଛି। ବର୍ଷା ଦିନେ ସବୁ ଝରଣା ସକ୍ରିୟ ଥାଏ। ପାହାଡ଼ ଉପରୁ ଝରି ଆସୁଥିବା ପାଣି ଦ୍ବାରା ଏହି ଋତୁକାଳୀନ ଝରଣା ସୃଷ୍ଟି କରିଥାଏ। ବିଶେଷକରି ଜୁଲାଇରୁ ସେପ୍ଟେମ୍ବର ଶେଷ ମାସ ଯାଏ ଝରଣା ଗୁଡ଼ିକ ସକ୍ରିୟ ଥାଆନ୍ତି । କିନ୍ତୁ ଏଥର ତିନି ମାସ ଭିତରେ ମାତ୍ର ୭/୮ ଦିନ ଝରଣାରେ ପାଣି ଦେଖିବାକୁ ମିଳିଥିଲା ।

ଫଳରେ ଜଳସ୍ରୋତଗୁଡ଼ିକ ଶୁଖିଲା ଥିବାରୁ ଜଂଗଲରେ ସବୁଜିମା ଲୋପ ପାଉଛି । ପ୍ରାକୃତିକ ସ୍ରୋତ କଡ଼ରେ ଥିବା ଗଛଲତା କ୍ରମାଗତ ଭାବେ ମରିବାକୁ ବସିଛନ୍ତି। ପାଣି ଅଭାବ ଯୋଗୁଁ ଡେବ୍ରିଗଡ଼ରେ ବନ୍ୟ ଜୀବନ ଏକପ୍ରକାର ଅସନ୍ତୁଳିତ ହେବାରେ ଲାଗିଛି। ବନ୍ୟଜନ୍ତୁଙ୍କ ପିଇବା ପାଣି ପାଇଁ ଏଠାରେ କୌଣସି କୃତ୍ରିମ ବ୍ୟବସ୍ଥା ନାହିଁ । ଖାଲୁଆ ଅଂଚଳରେ ଯାହା ପାଣି ଜମା ହୁଏ, ସେସବୁ ଖରା ଆରମ୍ଭ ହେବା ପୂର୍ବରୁ ଶୁଖି ଯାଇଛି । ତେଣୁ ଅଧିକାଂଶ ସମୟରେ ଜୀବଜନ୍ତୁ ଗୁଡ଼ିକ ଜଂଗଲ ଭିତରେ ଥିବା ଗାଁ ନିକଟସ୍ଥ ଜଳାଶୟକୁ ଚାଲି ଆସୁଛନ୍ତି ।

ଜଳାଭାବ ଯୋଗୁଁ ଡେବ୍ରିଗଡ଼ରେ ଥିବା ବିରଳ ଔଷଧୀୟ ବୃକ୍ଷ ଏବଂ ଗୁଳ୍ମ ହଜି ଯାଇଛି। ଜୀବଜନ୍ତୁ ପାଣି ପାଇଁ ଗାଁମୁହାଁ ହେଉଛନ୍ତି। ଯଦ୍ବାରା ସେମାନେ ସହଜରେ ଶିକାରୀଙ୍କ ଫାନ୍ଦରେ ଲାଗୁଛନ୍ତି। ଅନ୍ୟପକ୍ଷରେ ଡେବ୍ରିଗଡ଼ରେ ସହଜ ଶିକାର ମିଳୁଥିବାରୁ ମାଫିଆମାନେ ମଧ୍ୟ ସକ୍ରିିୟ ହୋଇଛନ୍ତି। ପୂର୍ବରୁ ବାରପାହାଡ଼ ପାଦ ଦେଶରେ ଅଂଚଳରେ ବାର୍‌ହା ଶିକାର କରାଯାଇଥିଲା। ପାଣି ନଥିବାରୁ ଜୀବଜନ୍ତୁ ଅସୁବିଧା ଭୋଗୁଛନ୍ତି। ସେହିପରି ପଦ୍ମପୁର ଉପଖଣ୍ଡ ଝାଞ୍ଜ ପାହାଡ଼ରେ ରହୁଥିବା ହାତୀପଲ ବାରମ୍ବାର ପାଣି ପାଇଁ ଆଖପାଖ ଗାଁକୁ ଚାଲି ଆସୁଥିବା ନଜିର ରହିଛି । ପୂର୍ବରୁ ପାହାଡ଼ ନିକଟସ୍ଥ ଜଂଗଲ ଭିତରେ ପାଣି ମହଜୁଦ ରହୁଥିଲା। କିନ୍ତୁ ସେଠାରେ ବି ହାତୀଙ୍କ ପାଇଁ ଆଉ ପର୍ଯ୍ୟାପ୍ତ ପାଣି ନାହିଁ ।